Latest Odisha News

BREAKING NEWS

ଆମେରିକାରେ ଭାରତୀୟ ସାମଗ୍ରୀ ମହଙ୍ଗା, ଆଜିଠୁ ଲାଗୁ ହେଲା ୧୦% ଅତିରିକ୍ତ ଟ୍ୟାରିଫ୍

ନୂଆଦିଲ୍ଲୀ: ଆମେରିକାକୁ ରପ୍ତାନି କରୁଥିବା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖବର । ଆଜିଠାରୁ ଆମେରିକା ବଜାରରେ ଭାରତୀୟ ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟ୍ୟାରିଫ୍ ବା ଶୁଳ୍କ ଲାଗୁ ହେବାକୁ ଯାଉଛି । ଟ୍ରମ୍ପ ପ୍ରଶାସନର ଏହି ନୂଆ ନିଷ୍ପତ୍ତି ପରେ ବ୍ୟବସାୟିକ ମହଲରେ ଏବେ ହଲଚଲ ଦେଖାଦେଇଛି । ତେବେ ଏହା ୧୦ ନା ୧୫ ପ୍ରତିଶତ ହେବ, ସେ ନେଇ ଏବେ ବି ସସପେନ୍ସ ଜାରି ରହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଅନୁଯାୟୀ, ଫେବୃଆରୀ ୨୪ ମଙ୍ଗଳବାରଠାରୁ ଆଗାମୀ ୧୫୦ ଦିନ ପାଇଁ ଭାରତୀୟ ରପ୍ତାନି ଉପରେ ୧୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ ହେବ। ଏହା ପୂର୍ବରୁ ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ପୁରୁଣା ଟ୍ୟାରିଫ୍ ନିଷ୍ପତ୍ତିକୁ ବେଆଇନ ଘୋଷଣା କରିଥିଲେ । କିନ୍ତୁ କୋର୍ଟଙ୍କ ରାୟ ପରେ ତୁରନ୍ତ ଟ୍ରମ୍ପ ଏହି ନୂଆ ଆଦେଶନାମାରେ ସ୍ୱାକ୍ଷର କରିଛନ୍ତି।

ଟ୍ରମ୍ପ ପ୍ରଥମେ ୧୦ ପ୍ରତିଶତ ଟ୍ୟାରିଫ ଦେବାକୁ କହିଥିଲେ, ପରେ ଏହାକୁ ୧୫ ପ୍ରତିଶତ କରିବାକୁ ଘୋଷଣା କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ଆଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଫଳରେ ରପ୍ତାନିକାରୀଙ୍କ ମଧ୍ୟରେ ଏବେ ଅନିଶ୍ଚିତତା ଦେଖାଦେଇଛି । ସେପଟେ ଟ୍ରମ୍ପ ଚେତାବନୀ ଦେଇଛନ୍ତି କି, ଯେଉଁ ଦେଶମାନେ ଆମେରିକା ସହ ‘ଖେଳ’ ଖେଳିବାକୁ ଚେଷ୍ଟା କରିବେ, ସେମାନଙ୍କ ଉପରେ ଆହୁରି କଠୋର ଟ୍ୟାରିଫ୍ ଲଗାଯିବ ।

ଅନ୍ୟପଟେ ଆମେରିକାର ଡେମୋକ୍ରାଟ୍ ସାଂସଦମାନେ ଏହାକୁ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବିଶ୍ୱର ବିଭିନ୍ନ ଦେଶରୁ ଆଦାୟ ହୋଇଥିବା ପ୍ରାୟ ୧୭୫ ବିଲିୟନ ଡଲାର ଫେରସ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ବିଲ୍ ମଧ୍ୟ ଅଣାଯାଉଛି। ଏସବୁ ଭିତରେ ୱାଶିଂଟନରେ ହେବାକୁ ଥିବା ଭାରତୀୟ ପ୍ରତିନିଧି ଦଳର ବୈଠକକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଆମେରିକାର ଏହି ବାଣିଜ୍ୟ ଯୁଦ୍ଧ ଭାରତୀୟ ଅର୍ଥନୀତି ଏବଂ ବଜାର ଉପରେ କି ପ୍ରଭାବ ପକାଉଛି ଆଗାମୀ ଦିନରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.