କେନ୍ଦ୍ରାପଡ଼ା:ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଏକ ପଟ୍ଟାକୁ ସଂଶୋଧନ କରାଇଦେବା ପାଇଁ ଶୁକ୍ରବାର ୫ ହଜାର ଟଙ୍କା ନେବା ବେଳେ କଟକ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି ।
ଜଣେ ଜମି ମାଲିକ ନିଜର ଉତ୍ତରାଧିକାରୀ ସୂତ୍ରରେ ଜମିର ମ୍ୟୁଟେସନ ଅର୍ଥାତ୍ ଜମି ମାଲିକାନା ପରିବର୍ତ୍ତନ ପାଇଁ ଅନଲାଇନରେ ଆବେଦନ କରିଥିଲେ । ଏହି ମାମଲାରେ ସପକ୍ଷରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଆରଆଇ ପ୍ରଦ୍ୟୁମ୍ନ ବେହୁରା ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏଥିରେ ଅତିଷ୍ଠ ହୋଇ ଜମି ମାଲିକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।
ଆଜି ରାଜନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବେହୁରା ଉକ୍ତ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ମାଡ଼ି ବସିଥିଲେ । ବେହୁରାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏପଟେ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଜାରି ରହିଛି ।