ହୁବୁଳି: ଚଳିତ ରଣଜୀ ଟ୍ରଫି କ୍ରିକେଟର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଜମ୍ମୁ-କଶ୍ମୀର ପ୍ରଥମ ଟାଇଟଲର ନିକଟତର ହୋଇଛି । କର୍ଣ୍ଣାଟକ ବିପକ୍ଷ ଫାଇନାଲରେ ଜମ୍ମୁ-କଶ୍ମୀର ସୁବିଧାଜନକ ସ୍ଥିତିରେ ରହିଛି । ୪ର୍ଥ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଜମ୍ମୁ-କଶ୍ମୀର ୪୭୭ ରନର ଅଗ୍ରଣୀ ହାସଲ କରି ନେଇଛି । ଅନ୍ତିମ ଦିବସରେ କର୍ଣ୍ଣାଟକ ନିକଟରେ ଏକପ୍ରକାର ଅସମ୍ଭବ ଟାର୍ଗେଟ ପ୍ରଦାନ କରିବା ଲକ୍ଷ୍ୟରେ ଦଳରେ ରହିଛି । ମ୍ୟାଚ ଡ୍ର ହେଲେ ବି ଜମ୍ମୁ-କଶ୍ମୀର ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଟାଇଟଲ ହାସଲ କରି ଇତିହାସ ରଚିବ ।
ପୂର୍ବରୁ ଜମ୍ମୁ-କଶ୍ମୀର ପ୍ରଥମ ଇନିଂସରେ ୫୮୪ ରନ କରିଥିଲା । ଏହାର ଜବାବରେ କର୍ଣ୍ଣାଟକ ୨୯୩ ରନ କରିବାକୁ ସକ୍ଷମ ହୋଇଥିଲା । ମୟଙ୍କ ଅଗ୍ରୱାଲ ୧୬୦ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ଆକ୍ୱିବ ନାବି ଦଳ ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ଜମ୍ମୁ-କଶ୍ମୀର ଦ୍ୱିତୀୟ ଇନିଂସରେ ୪ ୱିକେଟ ବିନିମୟରେ ୧୮୬ ରନ କରିଛି । କମରାନ ଇକବଲ ୯୪ ଓ ସାହିଲ ଲୋତ୍ରା ୧୬ ରନ କରି ଅପରାଜିତ ରହିଛନ୍ତି । କର୍ଣ୍ଣାଟକ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱିକେଟ ନେଇଛନ୍ତି । ପ୍ରଥମ ଇନିଂସରେ ଶୁଭମ ପୁନ୍ଦିର ୧୨୧ ରନର ଇନିଂସ ଖେଳିଥିଲେ । ଶନିବାର ମ୍ୟାଚର ଅନ୍ତିମ ଦିବସ ।