ରାଉରକେଲା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଜରାଇକେଲା ଥାନା ଅନ୍ତର୍ଗତ ସରଣ୍ଡାର ଟିମନା ଗ୍ରାମ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଏଥିରେ ଜଣେ କୋବ୍ରା ବାହିନୀର ସହକାରୀ କମାଣ୍ଡାଣ୍ଟ ଅଜୟ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି ।
କମାଣ୍ଡାଣ୍ଟ ଅଜୟ ମଲ୍ଲିକଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରି ରାଞ୍ଚିକୁ ପଠାଯାଇଛି । ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି ।
ସୂଚନା ମୁତାବକ, ୨୦୯ କୋବ୍ରା ବାହିନୀର ଯବାନମାନେ ଶନିବାର ରାତିରୁ ଟିମନା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ରବିବାର ସକାଳ ୫ଟା ସମୟରେ ଯବାନମାନେ ଘଞ୍ଚ ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ ପୂର୍ବରୁ ମାଓବାଦୀମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଘଟଣା ପରେ ସୁରକ୍ଷାବାହିନୀ ରେସ୍କ୍ୟୁ ଅଭିଯାନ ଆରମ୍ଭ କରିଥିଲେ । ନକ୍ସଲୀମାନଙ୍କ ବିରୋଧରେ ବିଶେଷ ସର୍ଚ୍ଚ ଅପରେସନ୍ ଜାରି ରହିଛି ।