ତେହରାନ: ଇରାନର ପବିତ୍ର ଜାମକରନ୍ ମସଜିଦ୍ ଉପରେ ଏବେ ଉଡୁଛି ‘ଲାଲ୍ ପତାକା’। ଶିଆ ପରମ୍ପରା ଅନୁଯାୟୀ, ଏହି ନାଲି ରଙ୍ଗର ପତାକା ହେଉଛି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଏବଂ ପ୍ରତିଶୋଧର ପ୍ରତୀକ । ଖାମେନେଇଙ୍କ ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏବେ ରଣହୁଙ୍କାର ଦେଇଛି । ଆମେରିକୀୟ ସୈନ୍ୟ ଘାଟି ଉପରେ ଆକ୍ରମଣର ଖବର ଆସୁଥିବା ବେଳେ ସାରା ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ।
ଖାମେନେଇଙ୍କ ମୃତ୍ୟୁ ପରେ କ୍ଷମତା ଦଖଲ କରିଛନ୍ତି ତାଙ୍କ ପୁଅ ମୋଜତବା ଖାମେନେଇ । ୧୯୬୯ରେ ଜନ୍ମିତ ମୋଜତବା ପରଦା ପଛର ରଣନୀତିକାର ଭାବେ ଜଣାଶୁଣା। ରିଭୋଲ୍ୟୁସନାରୀ ଗାର୍ଡସ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଏବେ ତାଙ୍କୁ ଇରାନର ନୂଆ ‘ସୁପ୍ରିମ ଲିଡର’ ଭାବେ ଉଭା କରିଛି। ଅନ୍ୟପଟେ, ଅଲିରେଜା ଆରାଫିଙ୍କୁ କାର୍ଯ୍ୟକାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ସରକାର ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।
ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ସ୍ପଷ୍ଟ କରିଛନ୍ତି ଯେ, ଇରାନ ପଛଘୁଞ୍ଚା ଦେବ ନାହିଁ। ଶତ୍ରୁ ପକ୍ଷର ପ୍ରତିଟି ଆକ୍ରମଣର ଜବାବ ଦିଆଯିବ। ତେହେରାନ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହରକୁ ଏବେ ହାଇ-ଆଲର୍ଟରେ ରଖାଯାଇଛି। ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ବାହାରେ ସୁରକ୍ଷା ବଳ ମୁତୟନ ହୋଇଛନ୍ତି।
ତେବେ ବଡ଼ ପ୍ରଶ୍ନ ହେଉଛି, ଏହି ଲାଲ୍ ପତାକା କ’ଣ ଏକ ବଡ଼ ଧରଣର ଯୁଦ୍ଧର ସୂଚନା ଦେଉଛି କି ? କ୍ଷମତା ପରିବର୍ତ୍ତନ ପରେ ଇରାନର ରଣନୀତି କେଉଁ ଦିଗକୁ ଯିବ ? ଏହା ଉପରେ ସାରା ବିଶ୍ୱର ନଜର ରହିଛି ।