ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଚଳିତ ଟି୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ ଜାରୀ ରଖିଛି । ତେବେ ଦଳର ପେସ ବୋଲରଙ୍କ ଫର୍ମ ଏବଂ ଫିଟନେସ ସର୍ବଦା ଏକ ସମସ୍ୟା ହୋଇ ରହି ଆସିଛି । ଏବେ ଏହାର ସମାଧାନ ପାଇଁ ବିସିସିଆଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଜାହୀର ଖାଁଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି । ବେଙ୍ଗାଲୁର ସେଂଟର ଅଫ ଏକ୍ସିଲେନ୍ସରେ ବିସିସିଆଇ ପେସ ବୋଲରଙ୍କ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ କରୁଛି । ଟ୍ରୟ କୂଲୀ ଅବସର ନେବା ପରେ ଏବେ ପ୍ରଶିକ୍ଷଣ ଦେବା ପାଇଁ କେହି ନାହାନ୍ତି । ବିସିସିଆଇ ଜାହୀରଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି ।
ସିଓଇର ମୂଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ସହ ମିଶି ଜାହୀର କାମ କରିବେ । ଜାହୀର ଜଣେ ଅଭିଜ୍ଞ ବୋଲର ହୋଇଥିବାରୁ ତାଙ୍କ ପ୍ରଶିକ୍ଷଶ ଯୁବ ପେସରଙ୍କୁ ସହାୟତା ପ୍ରଦାନ କରିବ ବୋଲି ଆଶା କରାଯାଉଛି । ୪୭ ବର୍ଷୀୟ ଜାହୀର ୯୨ ଟେଷ୍ଟରେ ୩୧୧ ଓ ୨୦୦ ଦିନିକିଆରେ ୨୮୨ ୱିକେଟ ନେଇଛନ୍ତି । ସେ ୧୭ ଟି୨୦ ମ୍ୟାଚରେ ୨୦ ୱିକେଟ ହାସଲ କରିଛନ୍ତି । ସେହିପରି ଆଇପିଲରେ ସେ ୧୦୨ ୱିକେଟ ନେଇଛନ୍ତି ।