ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଲିସକୁ ବଡ ସଫଳତା । ଗତମାସ ୨୨ ତାରିଖରେ ଘଟିଥିବା ବଡ଼ଧରଣର ଡ଼କାୟତି ଘଟଣାରେ ୭ ଜଣ ଡକାୟତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ସୁନା ଅଳଙ୍କାର ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ସହର ନିକଟସ୍ଥ କଚନିଆମ୍ବା ଗ୍ରାମର ଅମୂଲ୍ୟ ଜେନାଙ୍କ ଘରୁ ଏହି ଚୋରି ହୋଇଥିଲା ।
ଏହି ଚୋରି ଘଟଣା ପଛରେ ଅମୂଲ୍ୟଙ୍କ ୨ ଜଣ ସମ୍ପର୍କୀୟ ଥିବା ଜାଣିବାକୁ ପାଇଛି ପୋଲିସ । ଯେଉଁମାନେ କି ଜାଣି ଥିଲେ ଅମୂଲ୍ୟ ଜମି ବିକ୍ରି କରି ଟଙ୍କା ଘରେ ରଖିଛନ୍ତି । ସେତେବେଳେ ଅମୂଲ୍ୟ ୭୦ ଲକ୍ଷ ଟଙ୍କା ଓ ବହୁ ପରିମାଣର ସୁନା ଅଳଙ୍କାର ଚୋରି ହେଇଥିବା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଗିରଫ ଡକାୟତମାନେ ହେଲେ ନବରଙ୍ଗପୁର ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ପାପଡାହାଣ୍ଡି ଥାନା ଅନ୍ତର୍ଗତ ଧରନାବେଡ଼ା ଗ୍ରାମର ଚିତ୍ରସେନ ଗଣ୍ଡ (୩୨) ବର୍ଷ, ବାବୁଲା ରଣା (୩୮), ଗଣେଶ ରଣା (୩୨), ଧୀରଜ୍ ଲାଇଚନ (୩୦), କୋରାପୁଟ ଜିଲ୍ଲା ଅର୍ନ୍ତଗତ ଜୟପୁର ସଦର ଥାନା ଅନ୍ତର୍ଗତ ମାଝିଗୁଡା ଗ୍ରାମର ସିସିଏଲ କୁନାଲ (୧୭), ଘାସି ହରିଜନ ଓ କୋଟପାଡ଼ ଥାନା ଅନ୍ତର୍ଗତ ଝାଲିଆଗୁଡା ଗ୍ରାମର ଶୁକଦେବ ମୁଦୁଲି (୧୯) ।
ବାବୁଲ ରଣା ଓ ଗଣେଶ ରଣା ଅମୂଲ୍ୟଙ୍କ ସମ୍ପର୍କୀୟ ଅଟନ୍ତି ଯେଉଁମାନେ କି ଘଟଣାର ମୁଖ୍ୟ ଅଭିଯୁକ୍ତ । ଏହି ୨ ଭାଇ ହିଁ ଅମୂଲ୍ୟ ଜମି ବିକ୍ରି କରି ଟଙ୍କା ଘରେ ରଖି ଥିବା କଥା ଜାଣିଥିଲେ । ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୨୧ ଲକ୍ଷ ୩୩ ହଜାର ଟଙ୍କା ଡକାୟତ ସମୟରେ ବ୍ୟବହୃତ ଏରିଟିଗା କାର, ଗୋଟିଏ ସ୍କୁଟି ଓ ବହୁ ମାତ୍ରାରେ ସୁନା ଅଳଙ୍କାର ଜବତ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।