Latest Odisha News

BREAKING NEWS

ନୂତନ ଅପରାଧିକ ଆଇନରେ ହେବ ଐତିହାସିକ ସଂଶୋଧନ, ଆୟୋଜିତ ହେବ ”ନ୍ୟାୟ ସଂହିତା ପ୍ରଦର୍ଶନୀ”

ଭୁବନେଶ୍ବର: ଓଡ଼ିଶା ପୋଲିସ ପକ୍ଷରୁ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଆୟୋଜନ କରାଯାଉଛି । ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ମୁଖ୍ୟ ଲକ୍ଷ୍ୟ । ମାର୍ଚ୍ଚ ୬ ତାରିଖ ଅର୍ଥାତ୍ କାଲି ଭାରତର ସ୍ଵରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ ।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ । ଏହି ପ୍ରଦର୍ଶନୀ ଜନସାଧାରଣଙ୍କ ନିମନ୍ତେ ୭ ମାର୍ଚ୍ଚ ଠାରୁ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଭୁବନେଶ୍ଵରସ୍ଥିତ ପୋଲିସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଥିଲେ ଯେ , ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA)କୁ ସଂଶୋଧନ କରାଯାଇଛି । ଏହି ନୂତନ ଆଇନଗୁଡ଼ିକ ୧ ଜୁଲାଇ ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି । ଯାହା ଫଳରେ ଔପନିବେଶିକ ଯୁଗରେ ପ୍ରଚଳିତ ଥିବା “ଦଣ୍ଡ” ବ୍ୟବସ୍ଥା ଏବେ “ନ୍ୟାୟ” ବ୍ୟବସ୍ଥାକୁ ପରିବର୍ତ୍ତନ ହୋଇଛି ବୋଲି ଡିଜିପି କହିଥିଲେ ।

ପୀଡ଼ିତଙ୍କ ଅଧିକାର ଓ ସମ୍ମାନକୁ ପ୍ରାଥମିକତା ଦିଆଯାଇ ସମୟ ସୀମା ମଧ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ହେଉଛି ନୂତନ ଆଇନର ମୂଳ ଲକ୍ଷ୍ୟ । “ବିଳମ୍ବିତ ନ୍ୟାୟ ମାନେ ନ୍ୟାୟର ଅସ୍ୱୀକାର” ଏହି ସିଦ୍ଧାନ୍ତକୁ ନୂତନ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ବୋଲି ଡିଜିପି କହିଥିଲେ ।

ଏହା ବ୍ୟତୀତ e-Sakshya ମାଧ୍ୟମରେ ଡିଜିଟାଲ୍ ପ୍ରମାଣ ପରିଚାଳନା, ଜାତୀୟ ସ୍ୱୟଂଚାଳିତ ଟିପଚିହ୍ନ ଚିହ୍ନଟ ପ୍ରଣାଳୀ (NAFIS) ଦ୍ୱାରା ବାୟୋମେଟ୍ରିକ ପରିଚୟ, ମୋବାଇଲ୍ ଫରେନସିକ ୟୁନିଟ୍, ପ୍ରଯୁକ୍ତି ବିଦ୍ୟା ସହାୟତାରେ ତଦନ୍ତ ପ୍ରକ୍ରିୟା ଆଦି ସଂକ୍ରାନ୍ତରେ ବିଶଦ ଭାବେ ପ୍ରଦର୍ଶନୀରେ ଉପସ୍ଥାପନ କରାଯିବ ।

ଏହା ବ୍ୟତୀତ ପ୍ରଦର୍ଶନୀରେ “ ଅପରାଧସ୍ଥଳରୁ ହାଇକୋର୍ଟ ପର୍ଯ୍ୟନ୍ତ” ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଏକ ସମନ୍ୱିତ ଓ ଶିକ୍ଷା ମୂଳକ ଶୈଳୀରେ ପ୍ରଦର୍ଶିତ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ୧୦ଟି ଷ୍ଟଲ୍‌ରେ ଅପରାଧ ସ୍ଥଳ, ୧୧୨ ଜରୁରୀ କାଳୀନ ସହାୟତା, ଥାନାର କାର୍ଯ୍ୟ ପ୍ରଣାଳୀ, ହସ୍ପିଟାଲ୍ ସମନ୍ୱୟ, ଫରେନସିକ ପ୍ରୟୋଗଶାଳା, ପବ୍ଲିକ ପ୍ରସିକ୍ୟୁସନ୍, ଜିଲ୍ଲା ଅଦାଲତ, କାରାଗାର ଓ ହାଇକୋର୍ଟର କାର୍ଯ୍ୟ ଶୈଳୀ ସମ୍ପର୍କରେ ସାଧାରଣ ଲୋକମାନେ ଅବଗତ ହୋଇପାରିବେ ବୋଲି ଡିଜିପି ଆଶା ବ୍ୟକ୍ତ କରିଥିଲେ ।

ନୂତନ ଆଇନରେ ପ୍ରଯୁକ୍ତି ବିଦ୍ୟା ଓ ବୈଜ୍ଞାନିକ ତଦନ୍ତକୁ ଗୁରୁତ୍ବ ପ୍ରଦାନ କରାଯାଇଛି । ସେହି ଅନୁଯାୟୀ, ଗୁରୁତର ଅପରାଧରେ ଫରେନସିକ ତଦନ୍ତ, ଡିଜିଟାଲ୍ ପ୍ରମାଣର ସ୍ୱୀକୃତି ଓ ସମୟସୀମା ମଧ୍ୟରେ ତଦନ୍ତ ପ୍ରକ୍ରିୟାକୁ ଜୋର ଦିଆଯାଇଛି । ଏହା ସହ ନୂତନ ଆଇନ କାର୍ଯ୍ୟକାରୀ ପାଇଁ ସ୍ବତନ୍ତ୍ର ଯୋଜନା, ପୋଲିସ ଆଧୁନିକୀକରଣ ଓ ସଶକ୍ତିକରଣ, ମହିଳା ବିରୋଧୀ ଅପରାଧ ଉପରେ ରୋକ ଲଗାଇବା, ମାଓ ଦମନରେ ସ୍ୱତନ୍ତ୍ର ଅପରେସନ୍ ଗୃପ (SOG) ର ଭୂମିକା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ODRAF) ର ଅବଦାନ ଆଦି ସମ୍ପର୍କରେ ମଧ୍ୟ ପ୍ରଦର୍ଶିତକରାଯିବ ।

“ନ୍ୟାୟ ସଂହିତା ପ୍ରଦର୍ଶନୀ ଭାରତର ଅପରାଧ ନ୍ୟାୟ ବ୍ୟବସ୍ଥାର ଐତିହାସିକ ପରିବର୍ତ୍ତନ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସର ପ୍ରତିବଦ୍ଧତାର ଏକ ପ୍ରତିଫଳନ। ବୈଜ୍ଞାନିକ ତଦନ୍ତ, ଆଧୁନିକ ପ୍ରଯୁକ୍ତି ଓ ନାଗରିକ ଅଂଶଗ୍ରହଣ ମାଧ୍ୟମରେ ସଠିକ ସମୟ ମଧ୍ୟରେ ପୀଡ଼ିତଙ୍କୁ ନ୍ୟାୟ ସୁନିଶ୍ଚିତ କରିବାକୁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ବୋଲି ଡିଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.