ମୁମ୍ବାଇ: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ଯୋଗୁ ଭାରତ ୭ ରନରେ ଇଂଲଣ୍ଡକୁ ପରାସ୍ତ କରି କ୍ରମାଗତ ଦ୍ୱୀତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ୪ର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଟିମଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରଫି ପାଇଁ ମୁକାବିଲା ହେବ । ପ୍ରଥମେ ବ୍ୟାଟିଂ କରି ଭାରତ ସଞ୍ଜୁଙ୍କ ଆକର୍ଷଣୀୟ ୮୯ ରନ ସହାୟତାରେ ୨୫୩ ରନ ସଂଗ୍ରହ କରିଥିଲା । ଈଶାନ କିଶାନ ୩୯, ଶିବମ ଦୁବେ ୪୩, ତିଳକ ବର୍ମା ୨୧ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନ କରିଥିଲେ । ବ୍ୟାଟ୍ସମ୍ୟାନଙ୍କ ପାଇଁ ଭୂସ୍ୱର୍ଗ ସାଜିଥିବା ଏହି ପିଚରେ ଇଂଲଣ୍ଡ ମଧ୍ୟ କଡା ମୁକାବିଲା କରିଥିଲା ।
୨୫୪ ରନର ଲକ୍ଷ୍ୟକୁ ପିଛା କରି ଜାକବ ବେଥେଲଙ୍କ ୧୦୫ ରନ ସହାୟତାରେ ୨୦ ଓଭରରେ ୭ ୱିକେଟ ବିନିମୟରେ ୨୪୬ ରନ କରିବାକୁ ସକ୍ଷମ ହୋଇଥିଲା । ବେଥେଲ ୪୮ ବଲରେ ୧୦୫ ରନ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୨ଟି ୱିକେଟ ନେଇଥିଲେ । ସମସ୍ତ ବୋଲର ବ୍ୟୟବହୂଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ବୁମରାହ ୪ ଓଭରରେ ୩୩ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ସଞ୍ଜୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।