ଭୁବନେଶ୍ୱର: ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଆଲୋଚନା ସଫଳ ହେବା ପରେ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନ୍ (ଏଓସିଡବ୍ଲ୍ୟୁଏ) ନିଜର ୧୪ ଦିନିଆ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ୮ ସୂତ୍ରୀ ଦାବି ପୂରଣ ପାଇଁ ପ୍ରାୟ ୭୦,୦୦୦ ଠିକାଦାରଙ୍କୁ ପ୍ରତିନିଧିତ୍ୱ କରୁଥିବା ତିନୋଟି ପ୍ରମୁଖ ସଂଗଠନ ଗତ ୨୦ ଫେବୃଆରୀ ୨୦୨୬ରୁ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଥିଲେ।
ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନର ପ୍ରତିନିଧିମାନେ ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ସଂଘର ସମସ୍ତ ଦାବି ଉପରେ ପର୍ଯ୍ୟାୟକ୍ରମେ ବିସ୍ତୃତ ଆଲୋଚନା କରାଯାଇଥିଲା।
ମୁଖ୍ୟ ଦାବି:
ସର୍କୁଲାର ପ୍ରତ୍ୟାହାର: ପୂର୍ତ୍ତ ବିଭାଗର ସର୍କୁଲାର ନମ୍ବର ୦୭୭୬୪୬୦୦୦୨୨୦୨୫୧୭୩ (ତାରିଖ: ୦୩.୦୧.୨୦୨୬)କୁ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ଏହାର ପରିସରକୁ ଏସଓଆର (ସ୍କେଡୁଲ ଅଫ ରେଟସ୍) ମଧ୍ୟରେ ସୀମିତ ରଖାଯାଉ ଯାହା ମୂଳ ମୂଲ୍ୟର ୦.୦୦% ଅଟେ।
କୌଣସି ପ୍ରକାରର ‘କ୍ୟାପିଂ’ କରାଯିବ ନାହିଁ ଏବଂ ସରକାର ଏପିଏସ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବେ।
ଏସ୍ .ଓ.ଆର୍ . ସଂଶୋଧନ ଓ ନିୟମିତକରଣ କୋଡାଲ୍ ବ୍ୟବସ୍ଥା ଅନୁଯାୟୀ, ପ୍ରତିବର୍ଷ ଅନୁସୂଚୀ ଦରର ସଂଶୋଧନ କରାଯିବ। ଯଦି ବାର୍ଷିକ ସ୍ତରରେ ଏସ୍ .ଓ.ଆର୍ . ରେ ୧୫% ବୃଦ୍ଧି ଘଟିନଥାଏ।
ସିପିଡବ୍ଲୁଡି ଦରକୁ ଆଧାର କରି ସରକାର ପ୍ରତିବର୍ଷ ନୂତନ ବିଜ୍ଞପ୍ତି ଜାରି କରିବେ। ଏହି କ୍ରମରେ ଆସନ୍ତା ଏପ୍ରିଲ ୧୫ ସୁଦ୍ଧା ସରକାର ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଟେଣ୍ଡର ସୀମାରେ ବୃଦ୍ଧି: ସ୍ୱଳ୍ପକାଳୀନ ଟେଣ୍ଡର ଆହ୍ୱାନ ପାଇଁ ସର୍ବାଧିକ ଟେଣ୍ଡର ମୂଲ୍ୟ ସୀମାକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ।
ଟେଣ୍ଡର ସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ୫ ଲକ୍ଷ୍ୟ ହିଁ ରହିବ ।
ଗୋଟିଏ ରାଜ୍ୟ ଗୋଟିଏ ନିୟମ: ସମଗ୍ର ରାଜ୍ୟରେ ଏକ ସମାନ ମାନକ ନିଲାମ ଦସ୍ତାବିଜ (ଏସ୍ ବିଡି) କାର୍ଯ୍ୟକାରୀ କରାଯିବ ଯେଉଁଥିରେ ‘ମଧ୍ୟସ୍ଥତା ଧାରା’ ଅନ୍ତର୍ଭୁକ୍ତ ରହିବ। ରାଜ୍ୟ ସରକାର ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ଆସନ୍ତା ୨ ମାସ ମଧ୍ୟରେ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବ।
ଆବଶ୍ୟକ ପଡୁଥିବା ଲଘୁ ଖଣିଜ ସମ୍ପଦ ପ୍ରସଙ୍ଗ: କାର୍ଯ୍ୟକ୍ଷମ ଖଣିଗୁଡ଼ିକର ଏକ ସୂଚୀ ପ୍ରସ୍ତୁତ କରାଯିବା ସହ ଟେଣ୍ଡର ଦସ୍ତାବିଜରେ ନିର୍ଦ୍ଦିଷ୍ଟ ଖଣିର ନାମ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉ ।ଯେହେତୁ ଏହି ବିଷୟଟି ଖଣି ବିଭାଗର ଅଧୀନରେ ଆସୁଛି ତେଣୁ ସମ୍ପୃକ୍ତ ବିଭାଗ ଖଣି ବିଭାଗ ସହ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବେ।
ଜରିମାନା ବ୍ୟବସ୍ଥା କୋହଳ: କାର୍ଯ୍ୟକାଳ ବୃଦ୍ଧି ବା ମଞ୍ଜୁରୀ ସମୟରେ ଲାଗୁ ହେଉଥିବା ଦୈନନ୍ଦିନ ଜରିମାନା ବ୍ୟବସ୍ଥାର ଉଚ୍ଛେଦ କରାଯାଉ। ରାଜ୍ୟ ସରକାର ଏହି ଦାବିକୁ ସହାନୁଭୂତିର ସହ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ମୂଲ୍ୟ ବୃଦ୍ଧି ଦେୟ: ୨୦୧୨ ରୁ ୨୦୧୯ ମଧ୍ୟରେ ବାକି ରହିଥିବା ମୂଲ୍ୟ ବୃଦ୍ଧି ଜନିତ ବିଲ୍ ଦେୟକୁ ଚୂଡ଼ାନ୍ତ କରାଯାଉ।
ୱାମିସ୍ ପରିଚାଳନା ସ୍ଥାନାନ୍ତରଣ: ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ୱାମିସ୍ ବ୍ୟବସ୍ଥାରେ ହେଉଥିବା ଅଯଥା ବିଳମ୍ବକୁ ଦୂର କରିବା ପାଇଁ ଏହାର ପରିଚାଳନା ଦାୟିତ୍ୱ ମୂଳ ବିଭାଗ ଅର୍ଥାତ୍ ପୂର୍ତ୍ତ ବିଭାଗର ଇ-ପ୍ରୋକୁ୍ୟରମେଣ୍ଟ ସେଲ୍ କୁ ହସ୍ତାନ୍ତର କରାଯାଉ ।
ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହାର ସମାଧାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଏହା ବ୍ୟତୀତ ସରକାର ପି-୧ ଟେଣ୍ଡରରେ ମିଳିତ ଉଦ୍ୟୋଗ ଅଂଶଗ୍ରହଣକୁ ମଧ୍ୟ ଅନୁମତି ଦେଇଛନ୍ତି, ଯାହାକୁ ଆସୋସିଏସନ ତରଫରୁ ସ୍ବାଗତ କରାଯାଇଛି। ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନର ସଭାପତି ଜଗଦୀଶ ପାତ୍ର ସୂଚନା ଦେଇଛନ୍ତି ଯେ ସରକାରଙ୍କ ସହ ସଫଳ ଆଲୋଚନା ପରେ ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ ଆମେ ଏହି ସମସ୍ତ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଆନୁଷ୍ଠାନିକ ବିଜ୍ଞପ୍ତିକୁ ଅପେକ୍ଷା କରିଛୁ।