Latest Odisha News

BREAKING NEWS

ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ମହିଳାମାନେ ମଧ୍ୟ ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଛି ।

ବିଭିନ୍ନ ପ୍ରକାର ଦୁର୍ଘଟଣାରୁ ଧନ ଓ ଜୀବନକୁ ସୁରକ୍ଷା ଦେବା ସହିତ ପ୍ରତିବର୍ଷ ପାଣିରେ ବୁଡ଼ି ଘଟୁଥିବା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ଅଗ୍ନିଶମ ବିଭାଗକୁ ଆହୁରି ଦକ୍ଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ୩୪୬ଟି ଦମକଳ କେନ୍ଦ୍ର ମାଧ୍ୟମରେ ଅବିଳମ୍ବେ ସେବା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି । ଅଗ୍ନିଶମ ସେବାକୁ ଅଧିକ ସକ୍ରିୟ, ଅଗ୍ନି ସୁରକ୍ଷା ଲାଇସେନ୍ସ ପ୍ରଦାନ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସୁଗମ ଓ ତ୍ୱରିତ କରାଯିବା ନେଇ ଅଗ୍ନିଶମ ସେବା ପୋର୍ଟାଲ ୨.୦ କାର୍ଯ୍ୟକାରୀ ହୋଇଛି ବୋଲି ଅଗ୍ନିଶମ ସେବା ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ ।

ପ୍ରତ୍ୟେକ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ସମେତ ନିର୍ଦିଷ୍ଟ ଗୋଟିଏ ବିଷୟରେ ଯଥା ସ୍କୃ ଡାଇଭର, ପ୍ରାଥମିକ ଚିକିତ୍ସା, ସର୍ଚ୍ଚ ଏବଂ ଉଦ୍ଧାର, ଫାୟାର ଫାଇଟର ଟ୍ରେନର, ଜଙ୍ଗଲ ନିଆଁ ଲିଭାଇବା, ଦୁର୍ଘଟଣା ପ୍ରତିକ୍ରିୟା, କେ-୯, କମାଣ୍ଡ ସେଣ୍ଟର ବିଶେଷଜ୍ଞ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ବିଶେଷଜ୍ଞ ବ୍ୟାଚ୍ ପ୍ରଦାନର ବ୍ୟବସ୍ଥା ଆରମ୍ଭ କରାଯାଇଛି ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ, ଅଗ୍ନିଶମ ସେବା ତରଫରୁ ୨୦୨୫ ବର୍ଷରେ ପ୍ରାୟ ୨୦,୯୯୧ଟି ଅଗ୍ନିକାଣ୍ଡଜନିତ କଲ୍ ଗ୍ରହଣ କରାଯାଇ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି । ଏଥିରେ ପ୍ରାୟ ୫୯୮ କୋଟି ଟଙ୍କାର ସମ୍ପତ୍ତି ସୁରକ୍ଷିତ ରଖାଯାଇପାରିଥିବା ସହ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏଥିସହିତ ବିଭିନ୍ନ ଦୁର୍ଘଟଣାରେ ୯,୫୪୭ ବ୍ୟକ୍ତି ଏବଂ ୧୬,୩୯୯ ପଶୁଙ୍କୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି । ନିକଟରେ ଭୁବନେଶ୍ବରର ବରମୁଣ୍ଡାଠାରେ ପ୍ରତିଷ୍ଠା ହୋଇଥିବା ୨୪ ଘଣ୍ଟିଆ ରାଜ୍ୟ କମାଣ୍ଡ ସେଣ୍ଟର ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ତ୍ବରାନ୍ବିତ କରୁଛି ।

Leave A Reply

Your email address will not be published.