ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ଗାଁ ନିକଟରେ ଦୁର୍ଘଟଣା । ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ଶନିବାର ରାତିରେ ମିଲ୍ରୁ ଧାନା ନେଇ ମୁନିଗୁଡ଼ା ଫେରୁଥିଲା ଗାଡ଼ି । ହେଲେ ବିଷମକଟକ ଥାନା କାଚାପାଦୁ ଗାଁରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୭ ଜଣ ଆହତ ହୋଇଛନ୍ତି I ଦୁର୍ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ I
ମୃତକମାନେ ହେଲେ ଡ୍ରିଞ୍ଜ ସାରକା ଓ ମଦନ ସାରକା I ଗୁରୁତର ଥିବା ହିମ ସାରକାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I ଆହତ ଧବଳେଶ୍ୱର ସାରକା, ଅଜିତ ସାରକା ଓ ନବୀନ ସାରକା ଵିଷମ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୩ ଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଥିବା ଜଣାପଡିଛି I ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।