ବରଗଡ଼: ବାଲି ମାଫିଆଙ୍କ ବଡ଼ ଝଟକା । ବରଗଡ ଜିଲ୍ଲାରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ୮ଟି ବାଲି ବୋଝେଇ ହାଇୱାକୁ ଜବତ କରାଯାଇଛି । ଚଢ଼ାଉରେ ୭ଟି ହାଇୱାର କୌଣସି ଆଇନଗତ କାଗଜ ପତ୍ର ନଥିବାରୁ ଅତାବିରା ଥାନାରେ ଅଟକ ରଖାଯାଇଛି । ଗତକାଲି ରାତି ପ୍ରାୟ ୮ଟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅତାବିରା ପୁଲିସ ଏସଆଇ ପ୍ରଭାତ କୁମାର ସାହୁ ତୁରୁମ୍ ଗୋଡ଼ଭଗା ରାସ୍ତାରେ ସନ୍ଦେହ କରି ବାଲି ବୋଝେଇ ହାଇୱା ଗୁଡିକୁ ଜବତ କରିଥିଲେ ।
ବିଳମ୍ବିତ ରାତିରେ ବେଆଇନ ଭାବେ ବାଲି ଖୋଳାଯାଇ ଏହି ଗାଡ଼ି ଯୋଗେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି । ଗାଡ଼ିଗୁଡ଼ିକ ଲୁଚି ଛପି ବିଭିନ୍ନ ଭିତିରିଆ ରାସ୍ତା ଦେଇ ଯିବା ଆସିବା କରୁଥିବା ଅଭିଯୋଗ ହୋଇଛି । ତେବେ ତତ୍ପରତା ଦେଖାଇ ପୁଲିସ ଦଳ ଗାଡ଼ି ଗୁଡ଼ିକୁ ଜବତ କରିବାରେ ସଫଳ ହୋଇଛନ୍ତି ।
ବେଆଇନ ଖନନ ଏବଂ ପରିବହନ ଅଭିଯୋଗରେ ଖଣି ବିଭାଗ ପକ୍ଷରୁ ମୋଟା ଅଙ୍କର ଜୋରିମାନା ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।