ନୂଆଦିଲ୍ଲୀ: ଉତ୍ତର କୋରିଆରୁ ଆସୁଛି ଏକ ବଡ଼ ଖବର । ସାରା ବିଶ୍ୱରେ ଏବେ ଯୁଦ୍ଧର ଆଶଙ୍କା ଘନେଇବାରେ ଲାଗିଛି । ଏସବୁ ଭିତରେ କିମ୍ ଜୋଙ୍ଗ୍ ଉନ୍ଙ୍କର ଏକ ନୂଆ ରୂପ ସାମ୍ନାକୁ ଆସିଛି, ଯାହା ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇ ଦେଇଛି । ଯୁଦ୍ଧକ୍ଷେତ୍ରରେ ଉତ୍ତରକୋରିଆ ଶାସନ ମୁଖ୍ୟ କିମ୍ ଜୋଙ୍ଗ୍ ଉନ୍ ଏବଂ ତାଙ୍କ ସହ ଅଛନ୍ତି ତାଙ୍କର କିଶୋରୀ କନ୍ୟା କିମ୍ ଜୁ ଆଏ । ଦୁହିଁଙ୍କ ପରିଧାନରେ ରହିଛି ସମାନ ଧରଣର କଳା ରଙ୍ଗର ଲେଦର ଜ୍ୟାକେଟ୍। ନିକଟରେ ପ୍ରକାଶ ପାଇଥିବା ସରକାରୀ ଫଟୋରେ ଦେଖିବାକୁ ମିଳିଛି ଯେ, କିମ୍ ଏବଂ ତାଙ୍କ ଝିଅ ନିଜେ ଏକ ଟ୍ୟାଙ୍କ୍ ଉପରେ ବସି ସାମରିକ ଅଭ୍ୟାସର ତଦାରଖ କରୁଛନ୍ତି। ଖାଲି ସେତିକି ନୁହେଁ, ବାପ-ଝିଅଙ୍କୁ ପିସ୍ତଲ ଚଳାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଗତ କିଛି ଦିନ ହେବ ଉତ୍ତର କୋରିଆ କ୍ରମାଗତ ଭାବେ ଶକ୍ତି ପ୍ରଦର୍ଶନ କରିଚାଲିଛି। ଗତ ମାର୍ଚ୍ଚ ୧୪ ତାରିଖରେ ପ୍ରାୟ ୧୦ଟି ବାଲିଷ୍ଟିକ ମିସାଇଲ୍ ସମୁଦ୍ର ମଧ୍ୟକୁ ନିକ୍ଷେପ କରି ସିଧାସଳଖ ଚେତାବନୀ ଦେଇଛି ପ୍ୟୋଙ୍ଗୟାଙ୍ଗ । ଦକ୍ଷିଣ କୋରିଆ ଏବଂ ଆମେରିକାର ମିଳିତ ସାମରିକ ଅଭ୍ୟାସକୁ ନେଇ କିମ୍ ଜୋଙ୍ଗ୍ ଉନ୍ ଅତ୍ୟନ୍ତ କ୍ଷୁବ୍ଧ ଅଛନ୍ତି ଏବଂ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ମଧ୍ୟ ଦେଇଛନ୍ତି ।
ଏସବୁ ଭିତରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି – କିଏ ହେବେ ଉତ୍ତର କୋରିଆର ପରବର୍ତ୍ତୀ ଶାସକ ? ୧୩ ବର୍ଷୀୟା କିମ୍ ଜୁ ଆଏଙ୍କୁ ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ସାମରିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ଦକ୍ଷିଣ କୋରିଆର ଗୋଇନ୍ଦା ସଂସ୍ଥା ମୁତାବକ, କିମ୍ ଜୋଙ୍ଗ୍ ଉନ୍ ତାଙ୍କ ଝିଅକୁ ଉତ୍ତରାଧିକାରୀ ଭାବେ ଗଢ଼ି ତୋଳୁଛନ୍ତି ।
ତେବେ ଏହି ପାୱାର ଗେମ୍ରେ ଏକ ନୂଆ ମୋଡ଼ ମଧ୍ୟ ରହିଛି। କିମ୍ଙ୍କ ଶକ୍ତିଶାଳୀ ଭଉଣୀ କିମ୍ ୟୋ ଜୋଙ୍ଗ୍, ଯାହାଙ୍କୁ ଦେଶର ଦ୍ୱିତୀୟ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ବୋଲି କୁହାଯାଏ, ସେ ଜୁ ଆଏଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। କ୍ଷମତା ପାଇଁ ପରିବାର ଭିତରେ ବିବାଦ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ।
ଅନ୍ୟପଟେ ପଶ୍ଚିମ ଏସିଆର ସ୍ଥିତି ମଧ୍ୟ ବିସ୍ଫୋରକ ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଇରାନର ସୁପ୍ରିମ ଲିଡର ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଛି। ଏହି ବିଶ୍ୱସ୍ତରୀୟ ଅଶାନ୍ତି ମଧ୍ୟରେ ଉତ୍ତର କୋରିଆର ଏହି ଯୁଦ୍ଧ ପ୍ରସ୍ତୁତି ସାରା ବିଶ୍ୱକୁ ଏକ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଠେଲି ଦେଉନାହିଁ ତ ?