Latest Odisha News

BREAKING NEWS

ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା; ବିଜୁ ଲିଗାସୀର ଦ୍ୱାହି ଦେଇ ନିଜ ଅପକର୍ମକୁ ଲୁଚାଇବା ପାଇଁ ନୂତନ ରଣନୀତି: ବିଜେଡି

ବିଜୁ ଲିଗାସୀ ଦ୍ୱାହି ଦେଇ କିଛି ସ୍ୱାର୍ଥବାଦୀ ରାଜନେତା ନିଜର ଅପକର୍ମକୁ ଘଣ୍ଟ ଘୋଡ଼ାଇବା ପାଇଁ ନୂତନ ରଣନୀତି ଆପଣାଇଛନ୍ତି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ରାଜନୀତିରେ ପାଦ ରଖିଥିବା ଏବଂ ତତ୍କାଳୀନ ଛାତ୍ର ଜନତା ଦଳର ସଭାପତିଙ୍କ ବିରୋଧରେ ଯେପରି ହିଂସାର ଆଶ୍ରୟ ନେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ବିଜୁ ବିଚାରଧାରାର ସ୍ପଷ୍ଟ ପରିପନ୍ଥୀ ।
ଏକ ପ୍ରେସ୍ ବିବୃତ୍ତିରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ଚନ୍ଦ୍ରଶେଖର ସାହୁ, ବରିଷ୍ଠ ସାଧାରଣ ସମ୍ପାଦକ ତଥା ସାଂସଦ ଶ୍ରୀ ମାନସ ମଙ୍ଗରାଜ, ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା, ନାରାୟଣ ଜେନା ପ୍ରମୁଖ ଗତ କାଲି ରାତିରେ ପୂର୍ବତନ ମନ୍ତ୍ରୀ ଓ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ବାସଭବନରେ କିଛି ଅସାମାଜିକ ଯୁବକଙ୍କ ଜରିଆରେ ଆତଙ୍କ ସୃଷ୍ଟି କରାଯାଇଥିବା ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏପରି ଘଟଣା କେବଳ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅପମାନିତ କରୁନି ବରଂ ରାଜ୍ୟର ଆଇନ ଶୃଙ୍ଖଳା ପ୍ରତି ଗୁରୁତର ପ୍ରଶ୍ନ ଉଠାଉଛି ।
କିଛି ସ୍ୱାର୍ଥନ୍ୱେଷୀ ରାଜନେତା ହିଂସାତ୍ମକ କାର୍ଯ୍ୟକଳାପ ଜରିଆରେ ନିଜ ଅପକର୍ମକୁ ଲୁଚାଇବା ପାଇଁ ଏଭଳି ହୀନ ଉଦ୍ୟମ କରିଛନ୍ତି । ଏହି ଘଟଣାର ତୁରନ୍ତ ଓ ସଂପୂର୍ଣ୍ଣ ତଦନ୍ତ କରାଯାଉ । ଦୋଷୀମାନଙ୍କୁ ଶୀଘ୍ର ଚିହ୍ନଟ କରିବା ସହ ସେମାନଙ୍କୁ ଏଭଳି କାର୍ଯ୍ୟ ପାଇଁ ଉସ୍କାଇଥିବା ବ୍ୟକ୍ତିମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ଗଣତନ୍ତ୍ରକୁ ସୁରକ୍ଷିତ ଓ ସୁସ୍ଥ ରଖିବା ପାଇଁ ଏପରି ହିଂସାତ୍ମକ ରାଜନୀତି ଉପରେ କଡ଼ା ଅଙ୍କୁଶ ରହିବା ଆବଶ୍ୟକ ବୋଲି କହିଥିଲେ ।

Leave A Reply

Your email address will not be published.