ଭୁବନେଶ୍ବର: ଭୁବନେଶ୍ବର ସର୍କିଟ ହାଉସରେ ସଂସଦୀୟ କ୍ଷେତ୍ରର ଦୁଇଟି ବିଭାଗର ମୁଖ୍ୟ ସଚିବ ଏବଂ ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ଉପସ୍ଥିତିରେ ବିଭାଗର ବିକାଶ କାର୍ଯ୍ୟର ସମୀକ୍ଷା ବୈଠକ ହୋଇଯାଇଛି । ଆୟୋଜିତ ବୈଠକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ପୂର୍ତ୍ତ ବିଭାଗର ପ୍ରିନ୍ସପାଲ୍ ସେକ୍ରେଟାରୀ ସଂଜୟ ସିଂ ଏବଂ ଜଳସଂପଦ ବିଭାଗର ପ୍ରିନ୍ସପାଲ୍ ସେକ୍ରେଟାରୀ ଶୁଭା ଶର୍ମା ଉପସ୍ଥିତ ରହିଥିଲେ । ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ବିଶେଷ ଭାବରେ ଆଲୋଚନା ହୋଇଥିଲା । ଏନେଇ ପୂର୍ତ୍ତ ବିଭାଗ ଅଧିନରେ ୩୭ଟି ପ୍ରକଳ୍ପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ରାଜଧାନୀକୁ କିପରି ଟ୍ରାଫିକ୍ ମୁକ୍ତ ବା ଟ୍ରାଫିକ୍ ଭିଡ କମାଯାଇ ପାରିବ, ସେ ଦିଗରେ ଆଲୋଚନା କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୩୭ଟି ପ୍ରକଳ୍ପ ମଧ୍ୟରୁ ୩ଟି ପ୍ରକଳ୍ପର ଟେଣ୍ଡର ହୋଇଯାଇଛି, ବାକି ୩୪ଟି ପ୍ରକଳ୍ପର ଟେଣ୍ଡର କିପରି ଯଥାଶୀଘ୍ର ହୋଇ କାର୍ଯ୍ୟ ଆରମ୍ଭ ହେବ ତା ଉପରେ ବିଭାଗୀୟ ସଚିବ ସଂଜୟ ସିଂଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି ସାଂସଦ ମହୋଦୟା ।
ସମୀକ୍ଷା ବୈଠକରେ ଜଳ ସମ୍ପଦ ବିଭାଗର ସଚିବଙ୍କ ସହିତ ଗଙ୍ଗୁଆ ନାଳର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ କାମ ସମ୍ପର୍କରେ ଆଲୋଚନା ହୋଇଥିଲା । ଗଙ୍ଗୁଆ ନାଳ ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ଦିଗରେ ମୋଟ୍ ୮ ହଜାର ୭୩୬ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ରାଜଧାନୀ ଇଂଜିନିୟରିଂ କଲେଜ ନିକଟରୁ ଆରମ୍ଭ ହୋଇ ଗଙ୍ଗୁଆ ନାଳର ପୁନରୁଦ୍ଧାର କାର୍ଯ୍ୟ ଜଟଣୀ ନିକଟ କଣ୍ଟି ଗ୍ରାମ, ପ୍ରାୟ ୩୩ କିଲୋମିଟର ପୁନରୁଦ୍ଧାର କରାଯିବ । ବିଭାଗୀୟ ମୁଖ୍ୟ ସଚିବ ଶୁଭା ସିଂଙ୍କ ସହିତ ଏ ଦିଗରେ କିପରି ଯଥାଶୀଘ୍ର କାମ ଆରମ୍ଭ ହେବ, ସେ ନେଇ ସବିଶେଷ ଆଲୋଚନା କରିଛନ୍ତି ଭୁବନେଶ୍ବର ସାଂସଦ । ଏହା ସହିତ ଦୟା ପଶ୍ଚିମ କେନାଲର ପୁନରୁଦ୍ଧାର ଓ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି ।
ବାରଙ୍ଗଠାରୁ ଆରମ୍ଭ କରି ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୪.୮୬ କିଲୋମିଟର ଦୂର ଦୟା ପଶ୍ଚିମ କେନାଲର ପୁନରୁଦ୍ଧାର ହାତକୁ ନିଆଯାଇଛି । ଏହି ପ୍ରକଳ୍ପର ମୋଟ୍ ବ୍ୟୟ ଅଟକଳ ୪୪୮ କୋଟି ଟଙ୍କା ରହିଛି । ଏହି ବୈଠକରେ ଜଳସଂପଦ ବିଭାଗ ମୁଖ୍ୟ ସଚିବ ଶୁଭା ଶର୍ମା ଏବଂ ଅନ୍ୟ ଅଧିକାରୀଙ୍କ କହିତ କିପରି ଦୟା ପଶ୍ଚିମ କେନାଲର କାମ ଯଥାଶୀଘ୍ର ଆରମ୍ଭ ହୋଇପାରିବ, ସେ ଦିଗରେ ଆଲୋଚନା କରିଥିଲେ । ବିଶେଷ କରି ଗଙ୍ଗୁଆ ନାଳର ପୁନରୁଦ୍ଧାର ଏବଂ ଦୟା ପଶ୍ଚିମ କେନାଲର ପୁନରୁଦ୍ଧାର ହୋଇପାରିଲେ, ଏହା ବହୁ ପରିମାଣରେ ଲୋକଙ୍କୁ ସହାୟକ ହେବ । ଯେପରିକି ଏହା ଟ୍ରାଫିକ୍ ସମସ୍ୟା ଦୂର କରିବ ଏବଂ ମାଟିତଳେ ଜଳସ୍ତର ରକ୍ଷା କରିବାରେ ବିଶେଷ ଭୂମିକା ନେବ ବୋଲି ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି । ଆୟୋଜିତ ସମୀକ୍ଷା ବୈଠକରେ ଜଳ ସମ୍ପଦ ବିଭାଗ ପୂର୍ତ୍ତ ବିଭାଗକୁ ସମସ୍ତ କାର୍ଯ୍ୟରେ ସହାୟତା କରିବାକୁ କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଭୁବନେଶ୍ବର ମହାନଗର ନିଗମ ଅଧ୍ୟକ୍ଷଙ୍କ ସହିତ ଡ୍ରେନ ସମସ୍ୟାର ସମୀକ୍ଷା କରିଥିଲେ ସାଂସଦ । ବର୍ଷା ଦିନ ପୂର୍ବରୁ ସମସ୍ତ ଡ୍ରେନେଜ ସଫେଇ ଓ ପୁନରୁଦ୍ଧାର କାମ ସାରିବାକୁ କହିଛନ୍ତି ଭୁବନେଶ୍ବର ସାଂସଦ । ଏହି ବୈଠକରେ ଓ୍ବଟକୋ ଏମଡି ମଧ୍ୟ ଉପସ୍ଥିତି ରହିଥିଲେ । ତାଙ୍କ ସହିତ ସ୍ବେରେଜ କାମ ସମ୍ପର୍କରେ କଥା ହୋଇଛନ୍ତି ।ସେହିପରି କିପରି ଆହୁରି ଅଧିକ ନୂଆ ପାର୍କ ନିର୍ମାଣ ହୋଇପାରିବ ସେ ଦିଗରେ ମଧ୍ୟ ଆଲୋଚନା ହୋଇଛି । ସଂସଦୀୟ କ୍ଷେତ୍ରରେ ସମସ୍ତ ଲୋକଙ୍କ ନିକଟରେ କିପରି ବିକାଶମୂଳକ କାମର ଲାଭ ପହଁଚି ପାରିବ ସେ ଦିଗରେ ଧ୍ୟାନ ରଖିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ସର୍କିଟ୍ ହାଉସ ସମୀକ୍ଷା ବୈଠକରେ ଭୁବନେଶ୍ବର ମୁନିସିପାଲିଟି କରପୋରେସନର ବରିଷ୍ଠ ଅଧିକାରୀ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ, ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।