Electricity Prices: ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର, କୃଷି ପାଇଁ ମିଳିବ ନୂଆ ସୁବିଧା
ଭୁବନେଶ୍ଵର: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ମଧ୍ୟ ବଢିବନି ବିଜୁଳି ଦର । ବିଦ୍ୟୁତ ଟାରିଫ୍ ନବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ (OERC) । ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ଶେଷ ଥର ୨୦୨୩-୨୪ରେ ୧୦ ପଇସା କମିଥିଲା ।
ସାଧାରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ବିଲ୍ ରେ କୌଣସି ବୃଦ୍ଧି କରାଯାଇ ନାହିଁ । ଟ୍ରାନ୍ସମିସନ୍ ଚାର୍ଜ ହ୍ରାସ ହୋଇଛି । ଓପିଟିସିଲଏର ଚାର୍ଜ ୟୁନିଟ୍ ପିଛା ୨୫.୫ ପଇସାରୁ ୨୪ ପଇସାକୁ କମିଛି । ଶିଳ୍ପ ସଂସ୍ଥାଙ୍କୁ ରିହାତି ଦିଆଯାଇଛି । ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଇଏଚଟି ଶିଳ୍ପଗୁଡ଼ିକ ପାଇଁ ରିହାତି ୨୦ ପଇସାରୁ ୩୦ ପଇସାକୁ ବୃଦ୍ଧି ପାଇଛି ।
ସେହିଭଳି କୃଷି କ୍ଷେତ୍ରରେ ୬୦ ପ୍ରତିଶତରୁ ଅଧିକ ଲୋଡ ନେଉଥିଲେ ସେଗୁଡ଼ିକ ସୋଲାର ଦ୍ୱାରା ବିଦ୍ୟୁତିକରଣ କରାଯିବ । ସେହିପରି ବାଣିଜ୍ୟିକ ଓ ପରିବହନ କ୍ଷତି ଅଧିକ ହେଉଥିବା ଅଞ୍ଚଳରେ ଟ୍ରାନ୍ସଫରମର ସହ ବିଦ୍ୟୁତ ବିତରକ କମ୍ପାନି ସ୍ମାର୍ଟ ମିଟର ଲଗାଇବେ ।
ସ୍ମାର୍ଟ ମିଟର ଅଧିକ ବିଲ ଆସୁଥିବା ନେଇ ବିଭିନ୍ନ ସମୟରେ ଆସୁଥିଲା ଅଭିଯୋଗ । ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ମାର୍ଟ ମିଟରର ସଫ୍ଟଓୟାର ଅଡିଟ କରିବାକୁ ତୃତୀୟ ପକ୍ଷ କମ୍ପାନିଙ୍କୁ ଦାୟିତ୍ବ ଦିଆଯିବ । ବିଦ୍ୟୁତ ବିତରକ କମ୍ପାନି କରୁଥିବା ଖର୍ଚ୍ଚର ସିଏଜି ଅଡିଟ ହେବ । ୫୦ ପ୍ରତିଶତରୁ ଅଧିକ କ୍ଷତି ସହୁଥିବା ଫିଡର ଗୁଡ଼ିକରେ ସ୍ମାର୍ଟ ମିଟର ଲାଗିବ ।