ନୂଆଦିଲ୍ଲୀ: ବେଙ୍ଗାଲୁରରେ ଶନିବାର ଆଇପିଏଲ ୨୦୨୬ର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଆରସିବିର ସିନିୟର ପେସ ବୋଲର ଭୁବନେଶ୍ୱର କୁମାର ଏକ ବଡ ଉପଲବ୍ଧି ହାସଲ କରି ପାରନ୍ତି । ଏହି ମ୍ୟାଚରେ ସେ ୨ଟି ୱିକେଟ ନେଲେ ଆଇପିଏଲ ଇତିହାସର ପ୍ରଥମ ପେସ ବୋଲର ଭାବେ ୨୦୦ ୱିକେଟ ପୂରଣ କରିବେ । ଆଇପିଏଲରେ ସର୍ବାଧିକ ୱିକେଟ ନେବା ରେକର୍ଡ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନାମରେ ରହିଛି । ସେ ୧୭୪ ମ୍ୟାଚରେ ୨୨୧ ୱିକେଟ ନେଇଛନ୍ତି ।
ଭୁବନେଶ୍ୱର ୧୯୦ ମ୍ୟାଚରେ ୧୯୮ ୱିକେଟ ଅକ୍ତିଆର କରିଛନ୍ତି । ଏହି ତାଲିକାରେ ସ୍ପିନର ସୁନୀଲ ନାରିନ ତୃତୀୟ ସ୍ଥାନରେ ରହିଛନ୍ତି । ସେ ୧୯୨ ମ୍ୟାଚରେ ୧୯୨ ୱିକେଟ ନେଇଛନ୍ତି । ଭୁବନେଶ୍ୱର ଗତ ସଂସ୍କରଣରେ ଭଲ ପ୍ରଦର୍ଶନ କରିଥିଲେ । ଚାମ୍ପିୟନ ଆରସିବିର ଏହି ବୋଲର ୧୪ ମ୍ୟାଚରେ ୧୭ ୱିକେଟ ନେଇଥିଲେ । ଫାଇନାଲରେ ସେ ୪ ଓଭରରେ ୩୮ ରନ ଦେଇ ୨ଟି ୱିକେଟ ନେଇଥିଲେ ।