Latest Odisha News

BREAKING NEWS

ପେଟ୍ରୋଲ ରପ୍ତାନି ଉପରେ ରୁଷର କଟକଣା କେତେ ପ୍ରଭାବିତ ହେବ ଭାରତ ?

ନୂଆଦିଲ୍ଲୀ: ବିଶ୍ୱ ଶକ୍ତି ବଜାରରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ରୁଷ ଏବେ ନିଜର ଆଭ୍ୟନ୍ତରୀଣ ବଜାରକୁ ସୁରକ୍ଷିତ ରଖିବା ପାଇଁ ଏକ ବଡ଼ ‘ପ୍ରିଭେଣ୍ଟିଭ୍’ ବା ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିଛି । ଗ୍ୟାସୋଲିନ୍ ବା ପେଟ୍ରୋଲ ରପ୍ତାନି ଉପରେ ରୁଷ ଲଗାଇଛି କଟକଣା। କିନ୍ତୁ ଏହାର ପ୍ରଭାବ ଭାରତ ଉପରେ କ’ଣ ପଡ଼ିବ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ।

ବିଶ୍ୱ ଶକ୍ତି ସଙ୍କଟ ଏବଂ ଅନ୍ତର୍ଜାତୀୟ ବଜାରରେ ତେଲ ଦରର ଅନିଶ୍ଚିତତା ମଧ୍ୟରେ ରୁଷ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରୁଷର ରିଫାଇନାରୀଗୁଡ଼ିକ ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ ଚାଲୁଥିଲେ ମଧ୍ୟ ଭବିଷ୍ୟତର ସମସ୍ୟାକୁ ଦୃଷ୍ଟିରେ ରଖି ଗ୍ୟାସୋଲିନ୍ ରପ୍ତାନି ଉପରେ ରୋକ୍ ଲଗାଯାଇଛି ।

କାହିଁକି ରୁଷ ନେଲା ଏହି ନିଷ୍ପତ୍ତି ?

ନିଜ ଦେଶର ବଜାରରେ ପେଟ୍ରୋଲର ଅଭାବ ଯେପରି ନହୁଏ, ତାହା ସୁନିଶ୍ଚିତ କରିବା ପାଇଁ ରୁଷ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସାଧାରଣ ନାଗରିକଙ୍କ ଉପରେ ଯେପରି ଆର୍ଥିକ ବୋଝ ନପଡ଼େ, ସେଥିପାଇଁ ଇନ୍ଧନ ଦରକୁ ସ୍ଥିର ରଖିବାକୁ ଚାହୁଁଛି ରୁଷ୍ । ବାହାର ଦେଶର ଚାହିଦା ଅପେକ୍ଷା ନିଜ ଅର୍ଥନୀତିକୁ ସୁରକ୍ଷିତ ରଖିବାକୁ ରୁଷ ଏବେ ପ୍ରାଥମିକତା ଦେଉଛି ।

ଏହି ଖବର ପରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ ? ତେବେ ଭାରତୀୟ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର ଖବର ହେଉଛି ଯେ, ଏହି କଟକଣାର ବିଶେଷ ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ। ଏହାର କାରଣ ହେଉଛି: ଭାରତ ରୁଷରୁ ‘ଗ୍ୟାସୋଲିନ୍’ ବା ଫିନିଶ୍‌ଡ ପେଟ୍ରୋଲ କିଣେ ନାହିଁ, ବରଂ ‘ଅଶୋଧିତ ତେଲ’ ବା Crude Oil ଆମଦାନୀ କରିଥାଏ । ଭାରତ ନିଜ ଦେଶରେ ହିଁ ଅଶୋଧିତ ତେଲକୁ ରିଫାଇନ୍ କରି ପେଟ୍ରୋଲ ପ୍ରସ୍ତୁତ କରେ। ରିଫାଇନ୍ ହୋଇଥିବା ଇନ୍ଧନ ପାଇଁ ଭାରତ ରୁଷ ଉପରେ ନିର୍ଭରଶୀଳ ନୁହେଁ।

ମୋଟାମୋଟି ଭାବେ କହିବାକୁ ଗଲେ, ରୁଷର ଏହି ପଦକ୍ଷେପ ଅନ୍ୟ ତେଲ ରପ୍ତାନିକାରୀ ଦେଶମାନଙ୍କୁ ମଧ୍ୟ ନିଜ ନୀତି ବଦଳାଇବାକୁ ବାଧ୍ୟ କରିପାରେ । କିନ୍ତୁ ବର୍ତ୍ତମାନ ପାଇଁ ଭାରତରେ ପେଟ୍ରୋଲ ଦର ଉପରେ ଏହାର କୌଣସି ସିଧାସଳଖ ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ।

Leave A Reply

Your email address will not be published.