ଭୁବନେଶ୍ୱର:ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଆରମ୍ଭ ହୋଇଥିବା ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ ପାଇଁ ଜାଗା ନିରୁପଣ, ବିଦ୍ୟାଳୟ ବିଲ୍ଡିଂର ଢାଞ୍ଚା ଏବଂ ଏଥିନିମନ୍ତେ ଆବଶ୍ୟକୀୟ ବ୍ୟୟ ଅଟକଳ ବିଷୟରେ ବୈଠକର ଆଲୋଚନା ହୋଇଥିଲା ।
ଶିଳାନ୍ୟାସ ହୋଇଥିବା ସମସ୍ତ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ତ୍ୱରିତ ଗତିରେ ଆଗକୁ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଗାମୀ ସମୟକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଶ୍ରେଣୀ ସଂଖ୍ୟା ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।
ପ୍ରତ୍ୟେକ ବିଦ୍ୟାଳୟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଥମିକ ପର୍ଯ୍ୟାୟରେ ସଠିକ୍ ବ୍ୟୟ ଅଟକଳ ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଦ୍ୟାଳୟମାନଙ୍କ ପାଇଁ ଅଧିକ ଅର୍ଥରାଶି ଯୋଗାଇ ଦିଆଯିବ ବୋଲି ସେ ବୈଠକରେ କହିଥିଲେ।
ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନେ ବୟସରେ ବହୁତ ସାନ ତେଣୁ ସେମାନଙ୍କ ପାଠ ପଢ଼ା ସହ ଖେଳ କରସତ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁବିଧା ଏହି ବିଦ୍ୟାଳୟ ପ୍ରକଳ୍ପରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍. ତିରୁମାଳା ନାଏକ. ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଅନୁପମ୍ ସାହା, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।