ତେହେରାନ: ମଧ୍ୟପ୍ରାଚ୍ୟରେ ବାରୁଦର ଗନ୍ଧ ଥମିବାର ନାଁ ଧରୁନି । ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ବିବାଦ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ନିକଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ ପରେ ଏବେ ପାଲଟା ଜବାବ ଦେଇଛି ଇରାନ । କେବଳ ସେତିକି ନୁହେଁ, ଉପସାଗରୀୟ ଦେଶ ବା ଗଲ୍ଫ କଣ୍ଟ୍ରିଜ୍ ମାନଙ୍କୁ ଏକ ପ୍ରକାର ଅଲ୍ଟିମେଟମ୍ ଦେଇଛି ଇରାନୀ ସେନା ।
ଇରାନୀ ସଶସ୍ତ୍ର ବାହିନୀର କେନ୍ଦ୍ରୀୟ ମୁଖ୍ୟାଳୟ ମୁଖପାତ୍ର ଇବ୍ରାହିମ ଜୋଲଫାଗରୀ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଆମେରିକା ଇରାନର ମୌଳିକ ଭିତ୍ତିଭୂମି ଉପରେ ଆକ୍ରମଣ କରେ, ତେବେ ଏହାର ପରିଣାମ ଭୟଙ୍କର ହେବ ।
ଇରାନର ଟାର୍ଗେଟ ଆମେରିକା ଓ ଇସ୍ରାଏଲର ସାମରିକ ସମ୍ପତ୍ତି । ଆମେରିକା ସହ ଥିବା ଦେଶଙ୍କ ଶକ୍ତି ଓ ଅର୍ଥନୈତିକ କେନ୍ଦ୍ର ଉପରେ ହାମଲା ହୋଇପାରେ ବୋଲି ଧମକ ଦେଇଛନ୍ତି ଇବ୍ରାହିମ୍ ।
ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ, ଆମେରିକା ଇରାନର ପୋଲ, ବିଦ୍ୟୁତ୍ କେନ୍ଦ୍ର ଏବଂ ଶକ୍ତି ପ୍ରକଳ୍ପ ଗୁଡ଼ିକୁ ଟାର୍ଗେଟ୍ କରିବ। ଏହି ଧମକର ଜବାବରେ ଇରାନ ଏବେ ଗଲ୍ଫ ଦେଶମାନଙ୍କୁ କହିଛି- “ନିଜ ଅଞ୍ଚଳରୁ ଆମେରିକୀୟ ସେନାକୁ ହଟାଇବାକୁ ବାଧ୍ୟ କରନ୍ତୁ”।
ଇରାନୀ କମାଣ୍ଡଙ୍କ କହିବା କଥା ହେଉଛି, ଯେଉଁ ଦେଶମାନଙ୍କରେ ଆମେରିକାର ସାମରିକ ଘାଟି ରହିଛି, ସେହି ଦେଶଗୁଡ଼ିକ ମଧ୍ୟ ଇରାନର ଆକ୍ରମଣରୁ ବର୍ତ୍ତିବେ ନାହିଁ। ଯଦି ବଡ଼ ଧରଣର କ୍ଷତିରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆମେରିକୀୟ ସେନାକୁ ପଛକୁ ହଟିବା ପାଇଁ ବାଧ୍ୟ କରନ୍ତୁ। ବିଦେଶୀ ସେନାର ପ୍ରତ୍ୟାହାର ହିଁ ଯୁଦ୍ଧରୁ ବଞ୍ଚିବାର ଏକମାତ୍ର ରାସ୍ତା ବୋଲି ଇରାନ ଦାବି କରିଛି ।
ଏହି ଚେତାବନୀ ପରେ ପୂରା ମଧ୍ୟପ୍ରାଚ୍ୟରେ ଏବେ କୋକୁଆ ଭୟ ଖେଳିଯାଇଛି। ଇରାନ କେବଳ ସାମରିକ ସମ୍ପତ୍ତି ନୁହେଁ, ବରଂ ଶତ୍ରୁ ପକ୍ଷର ରାଜଧାନୀ ଏବଂ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କେନ୍ଦ୍ର ଗୁଡ଼ିକୁ ଧ୍ୱଂସ କରିବାକୁ ପ୍ରସ୍ତୁତ ଥିବା କହିଛି। ଏଭଳି ସ୍ଥିତିରେ ଆମେରିକାର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଏବଂ ତାର ସହଯୋଗୀ ଦେଶଗୁଡ଼ିକ କେଉଁ ନିଷ୍ପତ୍ତି ନେବେ, ତାହା ଉପରେ ସାରା ବିଶ୍ୱର ନଜର ।