ଭୁବନେଶ୍ୱର: ରାଜ୍ୟରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ସତ୍ତ୍ୱେ ଏବେ ପର୍ଯ୍ୟନ୍ତ ଅନେକ ସ୍କୁଲରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ପାଇ ପାରିନାହାନ୍ତି । ବହି ଅଭାବ ଯୋଗୁ ଶିକ୍ଷା ଆରମ୍ଭରେ ଗୁରୁତର ବିଘ୍ନ ସୃଷ୍ଟି ହୋଇଛି ଏବଂ ଶିକ୍ଷକମାନେ ପାଠ ପଢ଼ାଇବାରେ ଅସୁବିଧା ଭୋଗୁଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ ।
ଅଭିଭାବକମାନେ ମଧ୍ୟ ଏହାକୁ ନେଇ ଗଭୀର ଚିନ୍ତା ଜଣାଇଛନ୍ତି । ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରାୟ ୧୫,୦୦୦ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଶିକ୍ଷା ବ୍ୟବସ୍ଥାର ଦୃବଳତାକୁ ପ୍ରକାଶ କରୁଛି । ଏହି ଘଟଣା ଶିକ୍ଷା ବିଭାଗର ପ୍ରସ୍ତୁତି ଓ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।
ଅନ୍ୟପଟେ ସରକାର ଏଆଇ (AI) ଭଳି ଆଧୁନିକ ପ୍ରଯୁକ୍ତିକୁ ଲାଗୁ କରିବାକୁ ଯୋଜନା କରୁଛନ୍ତି । କିନ୍ତୁ ବାସ୍ତବରେ ମୂଳଭୂତ ସୁବିଧାର ଅଭାବ ଚିନ୍ତାଜନକ ଅବସ୍ଥା ସୃଷ୍ଟି କରିଛି । ବର୍ତ୍ତମାନ ୨୦୦୦୦ ରୁ ଅଧିକ ପଦବୀ ଖାଲି ରହିଥିବା ସହ ଅନେକ ସ୍କୁଲରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ ନାହିଁ । କେତେକ ସ୍ଥାନରେ ଏକା ଶ୍ରେଣୀରେ ଅନେକ ଶ୍ରେଣୀର ପିଲାମାନେ ପଢ଼ୁଛନ୍ତି । ଏହି ପରିସ୍ଥିତିରେ “ବ୍ୟାଗ ମୁକ୍ତ ଦିବସ” ଭଳି ନୂତନ ନୀତି ଆଣାଯାଇଛି । ବର୍ଷକୁ ୧୦ ଦିନ ପିଲାମାନେ ବହି ବ୍ୟାଗ୍ ନେଇ ସ୍କୁଲକୁ ଯିବେ ନାହିଁ ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ମାତୃଭାଷାରେ ଶିକ୍ଷା ପାଇବେ। ବହୁ ସଂଖ୍ୟକ ଶିକ୍ଷକଙ୍କୁ ଟ୍ରେନିଂ ଦେବାର ଯୋଜନା ମଧ୍ୟ ରହିଛି । କିନ୍ତୁ ମୂଳ ସମସ୍ୟା ଅବିକଳ୍ପ ରହିଥିବା ବେଳେ ଏହି ନୂତନ ଘୋଷଣାର ସଫଳତା ଉପରେ ପ୍ରଶ୍ନ ଉଠୁଛି । ସାଧାରଣ ଲୋକ ଓ ଅଭିଭାବକମାନେ ପ୍ରଥମେ ମୂଳଭୂତ ସୁବିଧା ସୁଧାରା ଦାବି କରିଛନ୍ତି।