ଭୁବନେଶ୍ୱର: କିଛି ଦିନର ଟଣା ଓଟରା ପରେ ଶେଷରେ ୫ କିଲୋ ଗ୍ୟାସ ବିତରଣ ପାଇଁ ନିଷ୍ପତି ନେଇଛନ୍ତି ସରକାର। ଏଣିକି ୫ କିଲୋ ଗ୍ୟାସ ପେଟ୍ରୋଲ ପମ୍ପରେ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ, ଦିନମଜୁରିଆ ଆଦି ସେମାନଙ୍କର ପ୍ରମାଣ ପତ୍ର ଦେଖାଇ ପେଟ୍ରୋଲ ପମ୍ପରୁ ଗ୍ୟାସ ନେଇ ପାରିବେ । ଆଗରୁ ବାହାରେ ଗ୍ୟାସ ବିକ୍ରି ହେବ ନାହିଁ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ।
ଚାରିଆଡୁ ଏହାକୁ ବିରୋଧ କରିବା ପରେ ମନ୍ତ୍ରୀ ନିଜ କଥାକୁ ନିଜେ ପରିବର୍ତ୍ତନ କରିଥିଲେ । ଯେଉଁମାନେ ଗ୍ୟାସ ନେବେ ସେମାନେ ପ୍ରମାଣ ପତ୍ର ଦେଖାଇ ନେବେ ବୋଲି କୁହାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ମନ୍ତ୍ରୀ ପୁଣିଥରେ ଗ୍ୟାସ କେଉଁଠି କେମିତି କିଏ ନେବେ ବୋଲି ଘୋଷଣା କରିଛନ୍ତି । ଯେଉଁମାନେ ଛୋଟ ସିଲିଣ୍ଡର ଅର୍ଥାତ ୫ କିଲୋ ବିଶିଷ୍ଟ ସିଲିଣ୍ଡର ବ୍ୟବହାର କରୁଛନ୍ତି ସେମାନେ ପେଟ୍ରୋଲ ପମ୍ପ ଯାଇ ନିଜର ପ୍ରମାଣ ପତ୍ର ଦେଖାଇ ଗ୍ୟାସ ନେଇପାରିବେ । ବାହାରେ ରହୁଥିବା ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ ଆଦି ନିଜର ପ୍ରମାଣପତ୍ର ଦେଖାଇ ଗ୍ୟାସ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ମନ୍ତ୍ରୀଙ୍କ ଏଭଳି ଉତ୍ତର ଆସିବା ପରେ ଏହାକୁ ସମସ୍ତେ ଗ୍ରହଣ କରିଛନ୍ତି । ସରକାର ଏଭଳି ନିଷ୍ପତି ନେବା ଦ୍ୱାରା କଳାବଜାରୀ କମିବ ବୋଲି କୁହାଯାଇଛି । ଆଉ ଆମ ପାଖକୁ ଲିଖିତ ଅର୍ଡର ଏବଂ ଗ୍ୟାସ ଆସିବା ପରେ ଆମ୍ଭେ ପେଟ୍ରୋଲ ପମ୍ପରେ ଗ୍ୟାସ ଦେବୁ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ସରକାର ପ୍ରଥମେ ଗ୍ୟାସ ଡିଲରମାନଙ୍କ ପାଖରେ କେତେ ଗ୍ୟାସ ଅଛି ତାହାକୁ ଦେଖନ୍ତୁ । ଏହାପରେ ଆମ ପାଖକୁ ଗ୍ୟାସ ନେଇ ଆସିଲେ ଗ୍ୟାସ ବିତରଣ କରିବାରେ କିଛି ଅସୁବିଧା ନାହିଁ ବୋଲି କୁହାଯାଇଛି ।