ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଚଢ଼ାଉ ବେଳେ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରୁ ନଗଦ ୬.୨୩ ଲକ୍ଷ ଟଙ୍କା, ୧.୮୧ କୋଟିର ବ୍ୟାଙ୍କ ଡିପୋଜିଟ୍ ସହ ୩୫୦ ଗ୍ରାମ ସୁନା ସହ ବହୁତଳ କୋଠା ସହ ୮ଟି ପ୍ଲଟ୍, ଗୋଟିଏ ଫାର୍ମ ହାଉସ୍ ମଧ୍ୟ ଠାବ ହୋଇଥିଲା ।
ରାଜେଶଙ୍କର ସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ବରମୁଣ୍ଡା ହାଉସିଂ ବୋର୍ଡ୍ କଲୋନୀ ପ୍ଲଟ୍ ନମ୍ବର ୨୧୦-ବିରେ ୩ ହଜାର ବର୍ଗଫୁଟ୍ର ୩ ମହଲାର ବଳାସପୂର୍ଣ୍ଣ କୋଠା, ଢେଙ୍କନାଳ ଜିଲ୍ଲା ଭାପୁରର ବିମ୍ୱୋଳରେ ଥିବା ପ୍ରାୟ ୨ ଏକରର ଫାର୍ମ ହାଉସ୍ । ତା’ ଭିତରେ ୪ ହଜାର ବର୍ଗଫୁଟ୍ର ଦୁଇ ମହଲାର ସୌଖୀନ ଘର । ଭୁବନେଶ୍ୱରରେ ୨ଟି ପ୍ଲଟ୍, ଯାଜପୁର ଓ ଢେଙ୍କାନାଳରେ ୪ଟି ପ୍ଲଟ୍ ରହିଛି । ଇଞ୍ଜିନିୟର ବାବୁଙ୍କର ଚଳଣି କୌଣସି ଧନୀ ବ୍ୟବସାୟୀଙ୍କଠାରୁ କମ୍ ନଥିଲା । ଚଢ଼ାଉ ସମୟରେ ତାଙ୍କ ଘରୁ ମିଳିଥିଲା ୨୦ରୁ ଅଧିକ ଦାମୀ ଘଣ୍ଟା । ୨ଟି ଚାରିଚକିଆ ଯାନ ଓ ୨ଟି ଦୁଇଚକିଆ ଯାନ ।
୧୯୯୪ ମସିହାରେ ମାତ୍ର ୨୦୦୦ ଟଙ୍କାରେ ଷ୍ଟାଇପେଣ୍ଡାରି ଇଞ୍ଜିନିୟର(ହାଉସିଂ ବୋର୍ଡ) ଭାବରେ ରାଜେଶ ମହାନ୍ତି ଚାକିରି ଆରମ୍ଭ କରିଥିଲେ । ଏବେ ସେ ଟଙ୍କାର ପାହାଡ଼ ଉପରେ ବସିଛନ୍ତି ।
ବାବୁ ଜଣଙ୍କ ୨୦୨୫ରେ ଭ୍ରମଣ ପାଇଁ ବିମାନ ଟିକଟ୍ ବାବଦକୁ ଖର୍ଚ୍ଚ କରିଛନ୍ତି ୧୩.୪୭ ଲକ୍ଷ ଟଙ୍କା । ଏତେ ଟଙ୍କାର ବିମାନ ଯାତ୍ରାରେ ସେ କେଉଁ ଆଡ଼େ ଯାଇଥିଲେ ଏବଂ କେମିତି ଟଙ୍କା ଉଡ଼ାଇଥିଲେ ତାହର ହିସାବ କରୁଛି ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ୍ । ଆଜି ତାଙ୍କୁ କଟକ ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି ।