ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଇସିଡବ୍ଲୁଏସ (ICWS) ପରିସରରେ ଅଭିନବ କାର୍ଯ୍ୟକ୍ରମ ‘ଆରୋହଣ’ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଉପ-ମୁଖ୍ୟମନ୍ତ୍ରୀ କୁନି କୁନି ପିଲାମାନଙ୍କୁ ତିଳକ ଲଗାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶୀର୍ବାଦ ପ୍ରଦାନ କରିବା ସହ ଏହି ନୂତନ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ । “ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପାଦେ ଆଗକୁ” ସ୍ଲୋଗାନ ସହ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରତ୍ୟେକ ଶିଶୁର ସର୍ବାଙ୍ଗୀନ ବିକାଶ ଦିଗରେ ଏକ ସାମୂହିକ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଏହି ଅଭିଳାଷୀ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟରେ ପ୍ରାକ୍-ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଡ଼ କରିବା । ବିଶେଷ କରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରାକ୍-ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ପିଲାମାନେ ଯେପରି ସହଜରେ ଶିଶୁ ବାଟିକା-୩ (Sisu Vatika-3) ରେ ନାମ ଲେଖାଇ ଶିକ୍ଷା ଗ୍ରହଣ କରିପାରିବେ, ତାହା ଏହି ଯୋଜନା ମାଧ୍ୟମରେ ନିଶ୍ଚିତ କରାଯିବ ।
ଏହି ଅବସରରେ ଉପସ୍ଥିତ ପିଲା ଓ ଅଭିଭାବକମାନଙ୍କୁ ସମ୍ବୋଧିତ କରି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଶୁର ଜନ୍ମଠାରୁ ପ୍ରଥମ ଛଅ ବର୍ଷ ତା’ର ମସ୍ତିଷ୍କର ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ସେଥିପାଇଁ ‘ପୋଷଣ ପକ୍ଷ-୨୦୨୬’ ଅବସରରେ ସରକାର ପ୍ରାକ୍-ପ୍ରାଥମିକ ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । ଏହି କାର୍ଯ୍ୟକ୍ରମ କେବଳ ସରକାରଙ୍କର ଦାୟିତ୍ୱ ନୁହେଁ, ବରଂ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ପରିବାର ଓ ସମାଜ ତଥା ଅଭିଭାବକମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ.ମୃଣାଳିନୀ ଦାର୍ସୱାଲ ଅଙ୍ଗନବାଡ଼ିକେନ୍ଦ୍ରକୁ ଅଧିକ ସକ୍ଷମ କରିବା ସହିତ ଶିଶୁମାନଙ୍କ ସାମୁହିକ ବିକାଶ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସମସ୍ତ ଅଧିକାରୀଙ୍କ ସକ୍ରିୟ ସହଯୋଗ ଉପରେ ଗୁରୁତ୍ଵ ଦେଇଥିଲେ ।
ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଭାରପ୍ରାପ୍ତ ନିର୍ଦ୍ଦେଶିକା (ICDS & SW) ସ୍ୱୟଂ ପ୍ରଭା ମହାନ୍ତି, ଅତିରିକ୍ତ ଶାସନ ସଚିବ ଇତିଶ୍ରୀ ଦାସ, ଏବଂ ଏନ୍. ସି. ଜ୍ୟୋତି ରଞ୍ଜନଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ସହଯୋଗୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏଥିସହିତ ତୃଣମୂଳ ସ୍ତରର ଅଙ୍ଗନବାଡ଼ି କର୍ମୀ ଏବଂ ଶିଶୁମାନଙ୍କର ପିତାମାତା ମଧ୍ୟ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିଛନ୍ତି ।