ନୂଆଦିଲ୍ଲୀ: GenZ ପ୍ରୋଟେଷ୍ଟ ଆଣିଦେଲା ବଡ଼ ପରିବର୍ତ୍ତନ। ଯାହା କଳ୍ପନାରେ ନଥିଲା, ତାହା ବାସ୍ତବତା ସାଜିଲା। ସରକାରୀ ଗାଦିରେ ବସିଲା ସାଧାରଣ ମଣିଷ। ଦିନେ ଗଳି ଗଳିରେ ରାପ୍ କରୁଥିବା ୩୬ ବର୍ଷୀୟ ଯୁବକ ହେଲା ଦେଶର ପ୍ରଧାନମନ୍ତ୍ରୀ। ଆଉ ଡିଜେବାଲା ହାତରେ ଗୃହ ବିଭାଗର ଶାସନ। ଏହା କୌଣସି ଫିଲ୍ମର ସଂଳାପ ନୁହେଁ…ବରଂ ଏହା ହେଉଛି ପଡ଼ୋଶୀ ଦେଶ ନେପାଳର ନୂଆ ଶାସକଙ୍କ ପରିଚୟ। ପୁରା ବିଶ୍ୱରେ ନିଆରା, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ନେପାଳ ରାଜନୀତି। ଯେଉଁଠି ସାଧାରଣ ଲୋକଙ୍କ ହାତରେ ଏବେ ନେପାଳକୁ ଟେକି ଦେଇଛନ୍ତି ନେପାଳବାସୀ।
ପେସାରେ ଜଣେ ସିଭିଲ୍ ଇଞ୍ଜିନିୟର୍ ଏବଂ ନିଶାରେ ଗୀତ ପ୍ରସ୍ତୁତ କରୁଥିବା ରାପର୍ ୩୬ ବର୍ଷୀୟ ବାଲେନ ଶାହ ଏବେ ନେପାଳର ପ୍ରଧାନମନ୍ତ୍ରୀ। ରାଜନୀତି ସହିତ ଦୂରଦୂରାନ୍ତ ପର୍ଯ୍ୟନ୍ତ ସଂପର୍କ ନଥିବା ବାଲେନ ଏବେ ନେପାଳ ସଂସ୍କାର ପାଇଁ ଏପରି ନୀତି ଆପଣାଇଛନ୍ତି ଯାହା ବିଶ୍ୱରେ ନୂଆ ଇତିହାସ ସୃଷ୍ଟି କରିଛି। ସେହିପରି ନେପାଳର ନୂଆ ଶାସନର ଆଉ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୁଦନ ଗୁରୁଙ୍ଗ, ଯିଏ କି ବର୍ତ୍ତମାନ ବାଲେନ ଶାହଙ୍କ ସରକାରରେ ଗୃହମନ୍ତ୍ରୀ ଦାୟିତ୍ବ ତୁଲାଉଛନ୍ତି। ସୁଦାନ ପୂର୍ବରୁ କାଠମାଣ୍ଡୁର କ୍ଲବ୍ , ଡିଜେ ଏବଂ ପାର୍ଟିମାନଙ୍କରେ ଡିଜେବାଲାର କାମ କରୁଥିଲେ । ହେଲେ ପରେ ସେ ନେପାଳବାସୀଙ୍କ କାନ୍ଧ ସାଜିଥିବାବେଳେ ହାମି ନେପାଳ ନାଁରେ ଗୋଟିଏ ସଂଗଠନ ଖୋଲି ୨୦୦ ଜଣ ସ୍ବେଚ୍ଛାସେବୀଙ୍କୁ ଧରି ଭୂମିକମ୍ପ ପୀଡ଼ିତଙ୍କୁ ଯଥାସମ୍ଭବ ସାହାଯ୍ୟ କରିଥିଲେ ।ଆଉ GenZ ପ୍ରୋଟେଷ୍ଟରେ ପ୍ରମୁଖ ପୁରୋଧା ସାଜିଥିଲେ ସୁଦାନ। ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ଯିଏକି ଦିଲ୍ଲୀର ଏମ୍ସର ନର୍ସିଂ କଲେଜର ପୂର୍ବତନ ଛାତ୍ରୀ ଆଉ ଜଣେ ଅଭିଜ୍ଞ ଡାକ୍ତର ନିଶା ମେହେଟ୍ଟା। ସ୍ୱାସ୍ଥ୍ୟ ପରିସର ପୁରା ତାଙ୍କର। ଏହିପରି ଲୋକଙ୍କ ସରକାର (Crowd-sourced Government) ଗଢ଼ିଛନ୍ତି ବାଲେନ୍ ସରକାର। ଯେଉଁଠି ସମାଜସେବୀ, ସମାଜକର୍ମୀ ଏବଂ ସାମ୍ୱାଦିକ ଭଳି ତୃଣମୂଳ ସ୍ତରର ଲୋକଙ୍କୁ ନେଇ ନୂଆ ସରକାର ଗଠନ କରାଯାଇଛି। ଯେଉଁମାନେ କେବଳ ସମସ୍ୟା ପଢ଼ିନାହାନ୍ତି ବରଂ ବାସ୍ତବରେ ସେମାନେ ସେଥିରେ ବଞ୍ଚିଛନ୍ତି।
ଆଉ ଏହା କୌଣସି ରାତାରାତି ଚମତ୍କାର ନୁହେଁ, ବରଂ ୨୦୨୫ରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ଏକ ବଡ଼ ବିପ୍ଳବର ଫଳାଫଳ। Gen Zମାନେ ସୋସିଆଲ ମିଡିଆରେ ଏକାଠି ହୋଇ କେବଳ ପ୍ରଶ୍ନ ଉଠାଇନଥିଲେ,ବୋଉର ନେପାଳ ରାଜନୀତିର କାୟା ଓଲଟାଇ ଦେଇଥିଲେ। ଦେଶ ସେ ନିଜେ ଚଳାଇବେ ବୋଲି ଜିଦରେ ଅଟଳ ରହିଥିଲେ। ଆଉ ଶେଷରେ ପ୍ରତିବାଦ ଏତେ ତୀବ୍ର ହୋଇଥିଲା ଯେ, ଏଥିରେ ୭୬ ଜଣ ଯୁବକଙ୍କର ଜୀବନ ଯାଇଥିବା ବେଳେ ପୁରା ଦୋହଲି ଉଠିଥିଲା ସରକାରରେ ଥିବା ବ୍ୟକ୍ତିଙ୍କ ଚୌକି। ଖାଲି ଯେ ସରକାର ତାହା ନୁହେଁ ବିରୋଧୀ ଦଳ ବି GenZ ବହ୍ନିରୁ ବର୍ତ୍ତି ପାରିନଥିଲେ। ସରକାରରୁ ବିରୋଧୀ ରାଜନୀତିରେ ସକ୍ରିୟ ସମସ୍ତ ଦଳମାନଙ୍କର ଚୌକି GenZ ନିଆଁରେ ଜଳି ପାଉଁଶ ହୋଇଗଲା। ଆଉ ଶେଷରେ କେପି ଶର୍ମା ଓଲି ସରକାରଙ୍କ ପତନ ଘଟିଲା। ତା’ପରେ ୨୦୨୬ ର ନିର୍ବାଚନ ଆଉ ଜେନ ଜି ଜେନେରେସନ୍ ର ପ୍ରିୟ ନେତା ସାଜିଲେ ବାଲେନ ଶାହ, ଜଣେ ରାପର…ଏବେ ସେ ନେପାଳର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କର ପାର୍ଟି ମୋଟ ୨୭୫ ଆସନରୁ ୧୮୨ ସିଟ୍ ଜିତି, ଭାରି ମତ ଗ୍ରହଣ କରିଥିଲା। ଆଉ ଲୋକେ ପୁରା ପୁରୁଣା ସିଷ୍ଟମକୁ ହିଁ ରିଜେକ୍ଟ କରିଦେଇଥିଲେ। ଆଉ ଯୁବଗୋଷ୍ଠୀଙ୍କ ପ୍ରଥମ ପସନ୍ଦ ସାଜିଥିବା ବାଲେନ୍ ବି ନେପାଳବାସୀ ଙ୍କ ପ୍ରାଥମିକତାକୁ ଆଗରେ ରଖିଛନ୍ତି। ଗୃହମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ସବୁଠି, ରାଜନୀତିରେ ପାରଦର୍ଶିତାକୁ ପଛରେ ପକାଇ ଶିକ୍ଷା ଏବଂ ସେଇ କ୍ଷେତ୍ରରେ ଅଭିଜ୍ଞତାକୁ ଆଗରେ ରଖିଛନ୍ତି। ଆଉ ଏପରି ଏକ କ୍ୟାବିନେଟ ଗଢ଼ିଛନ୍ତି, ଯାହା ସାରା ବିଶ୍ୱକୁ ଚକିତ କରିଛି। ସତେ ଯେପରି ଏହା କୌଣସି ପଲିଟିକାଲ୍ ଟିମ୍ ନୁହେଁ…ବରଂ ଲାଗୁଛି ଯେ ହ୍ୱାଟସାପ ଗ୍ରୁପ୍ ଏବେ ଦେଶ ଚଲାଉଛି। ସବୁଠାରୁ ଆଶ୍ଚର୍ଯ୍ୟର ଆଉ କୌତୁହଳ ପୂର୍ଣ୍ଣ କଥା ହେଉଛି, ନେପାଳର ନେତା କିମ୍ବା ମନ୍ତ୍ରୀ କୌଣସି ନିର୍ବାଚନ ଦ୍ଵାରା ନୁହେଁ ବରଂ ଅନଲାଇନ ପୋଲ, ଡିବେଟ୍ ଏବଂ ଆଲୋଚନା ମାଧ୍ୟମରେ ଚୟନ ହୋଇଛନ୍ତି। ଏହା କେବଳ ସରକାର ପରିବର୍ତ୍ତନ ନୁହେଁ…ବରଂ ସିଷ୍ଟମ ପୁନଃସ୍ଥାପିତ। ତେବେ ନେପାଳର ଏହି ନୂଆ ଏକ୍ସପେରିମେଣ୍ଟ ସଫଳ ହେବ ନା କେବଳ ବଡ଼ ରିସ୍କ ପ୍ରମାଣିତ ହେବ ତାହା ତ ଆଗକୁ ଜଣାପଡ଼ିବ ।