ନୂଆଦିଲ୍ଲୀ:ବମ୍ବେ ହାଇକୋର୍ଟ ଆଜି ୨୦୦୬ ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି । କୋର୍ଟ ମାମଲାର ଚାରି ଅଭିଯୁକ୍ତ – ରାଜେନ୍ଦ୍ର ଚୌଧୁରୀ, ଧନ ସିଂହ, ମନୋହର ରାମ ସିଂହ ନରୱାରିଆ ଏବଂ ଲୋକେଶ ଶର୍ମାଙ୍କ ବିରୋଧରେ ଚାର୍ଜଫ୍ରେମ୍ ଆଦେଶକୁ ରଦ୍ଦ କରିଦେଇଛନ୍ତି। ଏହି ନିଷ୍ପତ୍ତି ସହିତ, ଏହି ଚାରି ଜଣଙ୍କ ବିରୁଦ୍ଧରେ ଚାଲିଥିବା ଆଇନଗତ ମାମଲା ମଧ୍ୟ ସମାପ୍ତ ହୋଇଛି।
୮ ସେପ୍ଟେମ୍ବର ୨୦୦୬ରେ ମାଲେଗାଓଁରେ ହୋଇଥିବା ସିରିଜ ବିସ୍ଫୋରଣ ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୩୧୨ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଆଇନଗତ ଲଢ଼େଇ ଗତ ୧୯ ବର୍ଷ ଧରି ଚାଲିଥିଲା ଏବଂ ଏବେ ହାଇକୋର୍ଟ ଏହି ଚାରି ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ଦେଇଛନ୍ତି ।