ନୂଆଦିଲ୍ଲୀ: ୧୯୮୩ ପରେ ୨୦୧୧ରେ ଭାରତ ଦ୍ୱିତୀୟ ଥର ପାଇଁ ଦିନିକିଆ କ୍ରିକେଟ ବିଶ୍ୱକପ ଟାଇଟଲ ହାସଲ କରିଥିଲା । ରୋହିତ ଶର୍ମା ୨୦୧୧ ବିଶ୍ୱକପ ଦଳରେ ସ୍ଥାନ ପାଇ ନ ଥିଲେ । ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ମୁଁ ୨୦୦୭, ୨୦୨୪ ଟି୨୦ ବିଶ୍ୱକପ ବିଜେତା ଟିମ ଏବଂ ୨୦୧୩ ଓ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲି । ତେବେ ଏ ପର୍ଯ୍ୟନ୍ତ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ହୋଇପାରି ନାହିଁ । ୨୦୧୧ ବିଶ୍ୱକପରେ ମୋ ନିକଟରେ ସୁଯୋଗ ଥିଲେ ମଧ୍ୟ ଦଳରେ ସ୍ଥାନ ପାଇ ନ ଥିଲି । ଏବେ ୧୫ ବର୍ଷ ପରେ ସେ ସମୟର ଚୟନ କମିଟି ମୂଖ୍ୟ କ୍ରିଷ୍ମାଚାରୀ ଶ୍ରୀକାନ୍ତ ଏହାର କାରଣ ଦର୍ଶାଇବା ସହ ପରୋକ୍ଷରେ ରୋହିତଙ୍କୁ କ୍ଷମା ମାଗିଛନ୍ତି ।
ଶ୍ରୀକାନ୍ତ କହିଛନ୍ତି ମୋତେ କୁହାଯାଇଥିଲା ଏପରି ଜଣେ ଖେଳାଳି ଚୟନ କର ଯିଏକି ଆବଶ୍ୟକ ପଡିଲେ ବୋଲିଂ କରିପାରିବ । ଏହା ରୋହିତଙ୍କ ସପକ୍ଷରେ ଯାଇ ନ ଥିଲା । ସେ ସମୟରେ ଆମେ ଦଳରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ସୁରେଶ ରାଇନା, ଯୁବରାଜ ସିଂ ଓ ୟୁସୁଫ ପଠାନଙ୍କୁ ଗୁରୁତ୍ୱ ଦେଇଥିଲୁ । ଅବଶ୍ୟ ଏହାର ଫାଇଦା ଆମକୁ ମିଳିଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ପୂନର୍ବାର ବିଶ୍ୱ ଚାମ୍ପିୟନ ହୋଇପାରିଥିଲା । ଏବେ ବି ମୁଁ ରୋହିତଙ୍କୁ ନେଇ ଦୁଃଖୀତ ଅଛି । ୨୦୨୩ ଦିିନିକିଆ ବିଶ୍ୱକପରେ ରୋହିତଙ୍କ ନେତୃତ୍ୱରେ ଭାରତ ରନର୍ସଅପ ହୋଇଥିଲା ।