Mamata Banerjee vs Suvendu Adhikari: ଭବାନୀପୁରରେ ଶୁଭେନ୍ଦୁଙ୍କ ‘ଚ୍ୟାଲେଞ୍ଜ’: ଏହା କେବଳ ପ୍ରତୀକାତ୍ମକ ନା ନିର୍ଣ୍ଣାୟକ? ଜାଣନ୍ତୁ ଏହି ଲଢ଼େଇ ପଛର ଅସଲ କାରଣ
କୋଲକତା: ମମତାଙ୍କ ଗଡ଼ରେ ବିଜେପିର ହୁଙ୍କାର; କଣ ପୁଣି ଘଟିବ ନନ୍ଦୀଗ୍ରାମର ପୁନରାବୃତ୍ତି ? ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ମଙ୍ଗଳବାର ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ରହିଥିବା ବେଳେ ୨୯ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ରହିଛି । ୨୯ରେ ମମତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡ଼ିବ ଭୋଟ୍ । ପଶ୍ଚିମବଙ୍ଗ ରାଜନୀତିରେ ‘ଭବାନୀପୁର’ ଏକ ନିର୍ବାଚନ ମଣ୍ଡଳୀ ନୁହେଁ, ବରଂ ଏହା ଶାସକ ଟିଏମସି ଏବଂ ବିଜେପି ପାଇଁ ଏକ ସମ୍ମାନର ଯୁଦ୍ଧ । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ନିଜ ଗଡ଼ରେ ଘେରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । କିନ୍ତୁ ବିଶେଷଜ୍ଞଙ୍କ ମତରେ, ଭବାନୀପୁରରେ ଶୁଭେନ୍ଦୁଙ୍କ ଏହି ଆକ୍ରମଣାତ୍ମକ ରୂପ ଯେତିକି ନିର୍ଣ୍ଣାୟକ, ତା’ଠୁ ଅଧିକ ଏହା ଏକ ପ୍ରତୀକାତ୍ମକ ଲଢ଼େଇ । ବିଜେପିର ଶୀର୍ଷ ନେତା ଅମିତ ଶାହଠୁ ଆରମ୍ଭ କରି ଅନ୍ୟାନ୍ୟ ନେତା ଶୁଭେନ୍ଦୁଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ।
କାହିଁକି ଏହି ଲଢ଼େଇକୁ କୁହାଯାଉଛି ‘ପ୍ରତୀକାତ୍ମକ’?
୧. ମମତାଙ୍କ ଅପରାଜେୟ ଗଡ଼: ଭବାନୀପୁର ହେଉଛି ମମତା ବାନାର୍ଜୀଙ୍କର ପାରମ୍ପରିକ ଆସନ । ଏଠାରେ ବଙ୍ଗାଳୀ, ଶିଖ୍ ଏବଂ ଗୁଜରାଟୀ ଭୋଟରଙ୍କ ଏକ ମିଶ୍ରିତ ସମୀକରଣ ରହିଛି । ୨୦୨୧ ଉପ-ନିର୍ବାଚନରେ ମମତା ଏଠାରୁ ବିପୁଳ ବ୍ୟବଧାନରେ ଜିତି ନିଜର ଦବଦବା ଜାହିର କରିଥିଲେ । ତେଣୁ ଏଠାରେ ତାଙ୍କୁ ପରାସ୍ତ କରିବା ଏକ ବଡ଼ କଷ୍ଟସାଧ୍ୟ ବ୍ୟାପାର ।
୨. ଶୁଭେନ୍ଦୁଙ୍କ ବ୍ୟକ୍ତିଗତ ପରାକ୍ରମ: ଶୁଭେନ୍ଦୁ ଅଧିକାରୀ ସାରା ବେଙ୍ଗଲରେ ପ୍ରଚାର କରୁଛନ୍ତି, କିନ୍ତୁ ଭବାନୀପୁରରେ ତାଙ୍କର ଉପସ୍ଥିତି ବିଜେପି କର୍ମୀଙ୍କ ମନରେ ଏକ ନୂଆ ଉତ୍ସାହ ଭରୁଛି । ନନ୍ଦିଗ୍ରାମରେ ମମତାଙ୍କୁ ହରାଇବା ପରେ, ସେ ଏବେ ଟିଏମସି ଶିବିରରେ ଏକ ମାନସିକ ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି ।
୩. ରଣନୈତିକ ବାର୍ତ୍ତା: ଏହି ଚ୍ୟାଲେଞ୍ଜ ମାଧ୍ୟମରେ ଶୁଭେନ୍ଦୁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ, ବିଜେପି ମମତାଙ୍କୁ କୌଣସି ବି ସ୍ଥାନରେ ଛାଡ଼ିବ ନାହିଁ । ଯଦିଓ ଫଳାଫଳ ମମତାଙ୍କ ସପକ୍ଷରେ ଯାଇପାରେ, କିନ୍ତୁ ବିଜେପି ପାଇଁ ଭୋଟ୍ ପ୍ରତିଶତ ବଢ଼ାଇବା ହିଁ ମୁଖ୍ୟ ଲକ୍ଷ୍ୟ ।
ନନ୍ଦୀଗ୍ରାମ ବନାମ ଭବାନୀପୁର:
ନନ୍ଦୀଗ୍ରାମରେ ଭୌଗଳିକ ଏବଂ ଜାତିଗତ ସମୀକରଣ ଶୁଭେନ୍ଦୁଙ୍କ ସପକ୍ଷରେ ଥିଲା । କିନ୍ତୁ ଭବାନୀପୁର ଏକ ସହରାଞ୍ଚଳ ଏବଂ ଏଠାରେ ଟିଏମସିର ସଂଗଠନ ଅତ୍ୟନ୍ତ ମଜବୁତ । ସେଥିପାଇଁ ଏହି ଲଢ଼େଇ ମମତାଙ୍କ ଶାସନ ବ୍ୟବସ୍ଥା ଉପରେ ଏକ ନୈତିକ ଆକ୍ରମଣ ଭଳି ମନେ ହେଉଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଜେପି ଏହି ଲଢ଼େଇକୁ ମୁଖ୍ୟତଃ ‘ପରସେପ୍ସନ ୱାର’ ବା ଜନମତ ଗଠନ ପାଇଁ ବ୍ୟବହାର କରୁଛି । ଯଦିଓ ଶୁଭେନ୍ଦୁଙ୍କ ଚ୍ୟାଲେଞ୍ଜ ଫଳରେ ଟିଏମସି କ୍ୟାମ୍ପ୍ ଅଧିକ ସତର୍କ ହୋଇଯାଇଛି, ତଥାପି ଏହା ମମତାଙ୍କ ମୁଖ୍ୟମନ୍ତ୍ରୀ ପଦ ଉପରେ କୌଣସି ଆଞ୍ଚ ଆଣିବାର ସମ୍ଭାବନା କମ୍ ।