ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି। ଗଢାଯିବ ପରିବହନ-ଟ୍ରାଫିକ୍ର ନୂଆ କ୍ୟାଡର୍ ରୁଲ। ଓଡ଼ିଶା ଟ୍ରାନ୍ସପୋର୍ଟ-ଟ୍ରାଫିକ୍ ଆଣ୍ଡ ଏନ୍ଫୋର୍ସମେଣ୍ଟ (ନିଯୁକ୍ତି ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ) ରୁଲ୍-୨୦୧୩ର ବିସ୍ଥାପନ ଓ ବ୍ୟାପକ ସଂଶୋଧନ ପରେ ଏଣିକି ନୂଆ କ୍ୟାଡର ରୁଲ ଗଢ଼ାଯିବ। ଏହି ରୁଲ୍ ଅନୁସାରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସହ ଚାକିରି ସର୍ତ୍ତାବଳୀରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ। ରାଜ୍ୟ କ୍ୟାବିନେଟ୍ରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
୨୦୧୩ ମସିହାର ରୁଲ୍ ଅନୁସାରେ, ଟ୍ରାନ୍ସପୋର୍ଟ ଓ ଟ୍ରାଫିକ୍ କ୍ୟାଡରରେ ଟ୍ରାଫିକ୍ କନଷ୍ଟେବଳ, ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟର, ଇନ୍ସପେକ୍ଟର ଓ ଡେପୁଟି ସୁପରିଣ୍ଟେଣ୍ଡାଣ୍ଟ (ଟ୍ରାଫିକ୍) ପଦବି ଥିଲା। ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ବଦଳରେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା ଟ୍ରାଫିକ୍ କନଷ୍ଟେବଳ ସିଧା ନିଯୁକ୍ତି ପାଉଥିଲେ।
୨୦୨୧ ମସିହାରେ ସଂଶୋଧନ ମୁତାବକ, ଟ୍ରାଫିକ୍ କନଷ୍ଟେବଳ ଓ ସବ୍ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟାରେ ଦୌଡ଼ ଦକ୍ଷତାକୁ ସାମିଲ୍ କରାଗଲା। ୨୦୨୨ ମସିହାରେ ୨୬ଟି ଏଏସ୍ଆଇ ପଦବୀକୁ ହଟାଇ ଦିଆଗଲା। ଜଣେ ଜଏଣ୍ଟ କମିଶନର, ୩ଜଣ ଡେପୁଟି କମିଶନର, ୨ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଟ୍ରାଫିକ୍) ଓ ୫ଜଣ ସବ୍ଇନ୍ସପେକ୍ଟରଙ୍କ ପାଇଁ ପଦବି ସୃଷ୍ଟି ହେଲା। ନୂଆ କ୍ୟାଡର ରୁଲ୍ ଅନୁସାରେ, ବିଭିନ୍ନ ପଦବିର ନିଯୁକ୍ତି ପ୍ରକ୍ରିୟାକୁ ସ୍ଥାୟୀ ଭାବେ ସଂଶୋଧନ କରାଯିବ।