ନେତାନ୍ୟାହୁଙ୍କ ଯୁଦ୍ଧ ପ୍ରସ୍ତାବକୁ ତିନି ଆମେରିକା ରାଷ୍ଟ୍ରପତି କରିଥିଲେ ପ୍ରତ୍ୟାଖ୍ୟାନ, କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଦେଇଥିଲେ ଗ୍ରୀନ ସିଗନାଲ: ଜନ୍ କେରୀଙ୍କ ବଡ଼ ଖୁଲାସା
ୱାଶିଂଟନ: ଆମେରିକାର ପୂର୍ବତନ ସେକ୍ରେଟେରୀ ବା ସଚିବ ଜନ୍ କେରୀ ଇରାନ-ଇସ୍ରାଏଲ ବିବାଦ ଏବଂ ଏଥିରେ ଆମେରିକାର ଭୂମିକାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନ ବିରୋଧରେ ଏକ ମିଳିତ ସାମରିକ ଆକ୍ରମଣ ପାଇଁ ବାରମ୍ବାର ଆମେରିକାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ, ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା, ଜର୍ଜ ବୁଶ୍ ଏବଂ ଜୋ ବାଇଡେନ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଅନ୍ୟପଟେ, ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧ ଯୋଜନାକୁ ସମର୍ଥନ କରିଥିଲେ ବୋଲି ଜଣାପଡିଛି ।
ଏକ ଲୋକପ୍ରିୟ ଟିଭି ସୋ’ ‘ଦି ଲେଟ୍ ସୋ’ ଉଇଥ୍ ଷ୍ଟିଫେନ୍ କୋଲବର୍ଟ’ରେ ଅତିଥି ଭାବେ ଯୋଗ ଦେଇ କେରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଓବାମା ନାଁ କହିଲେ । ବୁଶ୍ ନାଁ କହିଲେ । ରାଷ୍ଟ୍ରପତି ବାଇଡେନ ମଧ୍ୟ ନାଁ କହିଥିଲେ । ମୁଁ ସେହି ସମସ୍ତ ଆଲୋଚନାର ଏକ ଅଂଶ ଥିଲି।”
କେରୀ ସ୍ପଷ୍ଟ କରିଥିଲେ ଯେ ପୂର୍ବତନ ରାଷ୍ଟ୍ରପତିମାନେ ଇରାନ ବିରୋଧରେ ଯୁଦ୍ଧ ପାଇଁ ରାଜି ହୋଇନଥିଲେ କାରଣ ଶାନ୍ତିପୂର୍ଣ୍ଣ ସମାଧାନର ସମସ୍ତ ବାଟ ସେ ପର୍ଯ୍ୟନ୍ତ ଶେଷ ହୋଇନଥିଲା । ଜଣେ ଭିଏତନାମ ଯୁଦ୍ଧ ଆନ୍ଦୋଳନକାରୀ ଭାବରେ ନିଜର ଅଭିଜ୍ଞତା ବଖାଣି ସେ କହିଥିଲେ ଯେ, ଭିଏତନାମ ଏବଂ ଇରାକ୍ ଯୁଦ୍ଧରୁ ଏକ ବଡ଼ ଶିକ୍ଷା ମିଳିଛି ଯେ ଆମେରିକୀୟ ଜନତାଙ୍କୁ ମିଛ କହି ଯୁଦ୍ଧକୁ ଠେଲି ଦେବା ଉଚିତ ନୁହେଁ । ନେତାନ୍ୟାହୁଙ୍କ ଆକଳନ ଥିଲା ଯେ ଇରାନରେ ଆକ୍ରମଣ କଲେ ସେଠାକାର ଲୋକେ ବିଦ୍ରୋହ କରିବେ ଏବଂ ଶାସନ ପରିବର୍ତ୍ତନ ହେବ । କିନ୍ତୁ କେରୀ କହିଛନ୍ତି ଯେ ଏହା କେବଳ ଏକ ଭିତ୍ତିହୀନ ଭବିଷ୍ୟବାଣୀ ଥିଲା ।
ଅନ୍ୟପକ୍ଷରେ, ‘ନ୍ୟୁୟର୍କ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀ ମାସରେ ହ୍ୱାଇଟ ହାଉସର ସିଚୁଏସନ ରୁମରେ ନେତାନ୍ୟାହୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମନାଇବାରେ ସଫଳ ହୋଇଥିଲେ । ନେତାନ୍ୟାହୁ ଯୁକ୍ତି ବାଢ଼ିଥିଲେ ଯେ ଏକ ମିଳିତ ଆମେରିକା-ଇସ୍ରାଏଲ୍ ଅପରେସନ୍ ମାଧ୍ୟମରେ ଇରାନରେ ସହଜରେ ଶାସନ ପରିବର୍ତ୍ତନ କରାଯାଇପାରିବ । ଏହି ପ୍ରସ୍ତାବରେ ରାଜି ହୋଇ ଟ୍ରମ୍ପ କହିଥିଲେ, “ମୋ ପାଇଁ ଏହା ଠିକ ଲାଗୁଛି,” ଏବଂ ସେହି ମିଳିତ ଆକ୍ରମଣ ପାଇଁ ସବୁଜ ସଙ୍କେତ ଦେଇଥିଲେ ।
ତେବେ, ଏହି ପ୍ରସଙ୍ଗକୁ ନେଇ ଆମେରିକା ଏବଂ ଇସ୍ରାଏଲ୍ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ମଧ୍ୟ ଖବର ଆସିଛି । ‘ଆକ୍ସିଓସ୍’ର ରିପୋର୍ଟ ଅନୁଯାୟୀ, ନିକଟରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ଏକ ଫୋନ୍ କଲରେ ଯୁକ୍ତିତର୍କ ହୋଇଥିଲା । ଭାନ୍ସ ଇରାନରେ ସହଜରେ ଶାସନ ପରିବର୍ତ୍ତନ ହୋଇଯିବ ବୋଲି ନେତାନ୍ୟାହୁଙ୍କ ମାତ୍ରାଧିକ ଆଶାବାଦୀ ଆକଳନକୁ କଡ଼ା ସମାଲୋଚନା କରିଥିଲେ ।