ନୂଆଦିଲ୍ଲୀ: ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଆପଣଙ୍କର ଦାମୀ ସ୍ମାର୍ଟଫୋନ୍ ଦୁଇ କିମ୍ବା ତିନି ବର୍ଷ ପରେ ଆପେ ଆପେ ସ୍ଲୋ ହୋଇଯାଏ? ବ୍ୟାଟେରୀ ଶୀଘ୍ର ସରିଯାଏ କିମ୍ବା ନୂଆ ଆପ୍ଲିକେସନ୍ ଗୁଡ଼ିକ ଠିକ୍ ଭାବେ କାମ କରେନାହିଁ? ଯଦି ଆପଣ ଭାବୁଛନ୍ତି ଏହା ଏକ ସାଧାରଣ ବୈଷୟିକ ତ୍ରୁଟି ବା ପୁରୁଣା ହେବାର ଲକ୍ଷଣ, ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ୍।
ନିକଟରେ ୟୁରୋପୀୟ ୟୁନିଅନ୍ (ଇୟୁ) ଦ୍ୱାରା କରାଯାଇଥିବା ଏକ ତଦନ୍ତରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ବଡ଼ ବଡ଼ ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକ ଜାଣିଶୁଣି ମୋବାଇଲ୍କୁ ଏପରି ଡିଜାଇନ୍ କରୁଛନ୍ତି, ଯାହାଦ୍ୱାରା ତାହା ଏକ ନିର୍ଦ୍ଦିଷ୍ଟ ସମୟ ପରେ ଶୀଘ୍ର ଖରାପ ହୋଇଯିବ।
ବୈଷୟିକ ଦୁନିଆରେ ଏହି ରଣନୀତିକୁ ‘ପ୍ଲାନ୍ଡ ଅବସୋଲେସେନ୍ସ’ (Planned Obsolescence) କୁହାଯାଏ। ଅର୍ଥାତ୍ ଏକ ପ୍ରଡକ୍ଟକୁ ତିଆରି କରିବା ସମୟରେ ହିଁ ଏମିତି ଯୋଜନାବଦ୍ଧ ଡିଜାଇନ୍ କରାଯାଇଥାଏ ଯେ କିଛି ଦିନ ପରେ ଏହା କମ୍ ଉପଯୋଗୀ ହୋଇଯିବ।
କିପରି କାମ କରେ କମ୍ପାନୀଙ୍କ ଏହି ଷଡ଼ଯନ୍ତ୍ର?
ୟୁରୋପୀୟ ୟୁନିଅନର ଏହି ରିପୋର୍ଟ ମୁତାବକ, ଗ୍ରାହକଙ୍କୁ ନୂଆ ଫୋନ୍ କିଣିବାକୁ ବାଧ୍ୟ କରିବା ପାଇଁ କମ୍ପାନୀଗୁଡ଼ିକ ମୁଖ୍ୟତଃ ୩ଟି ବାଟ ଆପଣାଇଥାନ୍ତି:
୧. ବ୍ୟାଟେରୀ କ୍ଷମତା ଜାଣିଶୁଣି ହ୍ରାସ: ଫୋନ୍ର ବ୍ୟାଟେରୀକୁ ଏପରି ତିଆରି କରାଯାଏ ଯାହାକି କିଛି ଶହ ଥର ଚାର୍ଜ ହେବା ପରେ ଆପେ ଆପେ ନିଜର କ୍ଷମତା ହରାଇବସେ। ବ୍ୟାଟେରୀ ବଦଳାଇବା ପ୍ରକ୍ରିୟାକୁ ଏତେ ଜଟିଳ ଓ ମହଙ୍ଗା ରଖାଯାଏ ଯେ ଗ୍ରାହକ ବ୍ୟାଟେରୀ ବଦଳାଇବା ଅପେକ୍ଷା ନୂଆ ଫୋନ୍ କିଣିବା ଶ୍ରେୟସ୍କର ମଣନ୍ତି।
୨. ସଫ୍ଟୱେର୍ ଅପଡେଟ୍ ବନ୍ଦ କରିଦେବା: କମ୍ପାନୀଗୁଡ଼ିକ ପୁରୁଣା ଫୋନ୍ ପାଇଁ ସଫ୍ଟୱେର୍ ଏବଂ ସିକ୍ୟୁରିଟି ଅପଡେଟ୍ ଦେବା ଧୀରେ ଧୀରେ ବନ୍ଦ କରିଦିଅନ୍ତି। ନୂଆ ଅପଡେଟ୍ ଆସିଲେ ମଧ୍ୟ ତାହା ପୁରୁଣା ଫୋନ୍କୁ ସ୍ଲୋ କରିଦିଏ, ଫଳରେ ହ୍ୟାଙ୍ଗ୍ ସମସ୍ୟା ଦେଖାଯାଏ।
୩. ମରାମତି କରିବାର ସୀମିତ ବିକଳ୍ପ: ପୁରୁଣା ଫୋନ୍ ଖରାପ ହେଲେ ତାର ପାର୍ଟସ୍ ବଜାରରେ ସହଜରେ ମିଳେନାହିଁ। ଏହାର ସର୍ଭିସ୍ ଚାର୍ଜ ଓ ପାର୍ଟସ୍ ଦାମ୍ ଏତେ ଅଧିକ ଥାଏ ଯେ ତାହା ମରାମତି କରିବା ଯୋଗ୍ୟ ହୋଇ ରହେନାହିଁ।
ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କୁ ସେମାନଙ୍କ ପୁରୁଣା ଫୋନ୍ ଛାଡ଼ି ନୂଆ ଡିଭାଇସ୍ କିଣିବା ପାଇଁ ବାଧ୍ୟ କରିବା, ଯାହାଦ୍ୱାରା ଟେକ୍ କମ୍ପାନୀମାନଙ୍କର ବିକ୍ରି ଓ ଲାଭ କରିପାରିବେ ।
ତେବେ ଇ-ୱେଷ୍ଟ (E-waste) ବା ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ହ୍ରାସ କରିବା ଏବଂ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ୟୁରୋପୀୟ ୟୁନିଅନ୍ ଏବେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛି। ଏଭଳି ଅଭ୍ୟାସ ଉପରେ ରୋକ୍ ଲଗାଇବା ପାଇଁ EU ‘ରାଇଟ୍ ଟୁ ରିପେୟାର’ (Right to Repair) ଆଇନ୍ ଲାଗୁ କରିବା ଦିଗରେ କଡ଼ା ପଦକ୍ଷେପ ନେଉଛି।