ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ଛାଡି ରାଘବ ଚଢା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଯାହାର ପ୍ରଭାବ ସୋସିଆଲ ମିଡିଆରେ ଦେଖାଯାଇଛି। କାରଣ ମାତ୍ର ୨୪ ଘଣ୍ଟା ମଧ୍ୟରେ ସେ ପ୍ରାୟ ୧୦ ଲକ୍ଷ ଫଲୋଅର୍ସ ହରାଇଛନ୍ତି। ଯାହାଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢ଼ି (ଜେନ ଜେଡ) ଥିଲେ।
ତଥ୍ୟ ଅନୁଯାୟୀ, ରାଘବଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ, ଯାହା ଶୁକ୍ରବାର ପ୍ରାୟ ୧୪.୬ ନିୟୁତ ଥିଲା ଏବେ ୧୩.୫ ନିୟୁତକୁ ହ୍ରାସ ପାଇଛି। ଏହି ହ୍ରାସ ଏପରି ଏକ ସମୟରେ ଆସିଛି ଯେତେବେଳେ ସେ ଦଳ ପରିବର୍ତ୍ତନ କରି ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି।
ଏକ୍ସପର୍ଟଙ୍କ ମତରେ ଏହା କେବଳ ସଂଖ୍ୟାରେ ହ୍ରାସ ନୁହେଁ, ବରଂ ଯୁବପିଢ଼ିଙ୍କ ମନୋଭାବର ଏକ ସୂଚନା। ବିଶେଷକରି, ସୋସିଆଲ ମିଡିଆରେ ସର୍ବାଧିକ ସକ୍ରିୟ ଥିବା ଯୁବଗୋଷ୍ଠୀ, ଜେନ ଜେଡ ରାଘବଙ୍କ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ଭଳି ମନେ ହେଉଛନ୍ତି। ଅନେକ ୟୁଜର୍ସ ଖୋଲାଖୋଲି ଭାବରେ ତାଙ୍କୁ ଅନଫଲୋ କରିବାକୁ ଅପିଲ ମଧ୍ୟ କରିଥିଲେ। ଯାହା ଖୁବ୍ ଶୀଘ୍ର ଏକ ଟ୍ରେଣ୍ଡ ପାଲଟିଥିଲା।
ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ରାଘବ ଗତ କିଛି ବର୍ଷ ଧରି ଯୁବପିଢ଼ିଙ୍କ ସମସ୍ୟାକୁ ଉଠାଉଥିଲେ। ଏପରିକି ସେ ଲୋକଙ୍କ ନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଟ୍ରାଫିକ୍ ଭିଡ଼ ହେଉ, ଡାଟା ଲିମିଟ ହେଉ, କିମ୍ବା ଡେଲିଭରୀ କର୍ମଚାରୀଙ୍କ ଅଧିକାର ହେଉ। ସେ ଏହି ପ୍ରସଙ୍ଗଗୁଡ଼ିକ ବିଷୟରେ ସ୍ୱର ଉଠାଇ ଆସିଛନ୍ତି। ସେ ଗୋଟିଏ ଦିନ ପାଇଁ ନିଜେ ଡେଲିଭରି ବଏ ଭାବରେ ମଧ୍ୟ କାମ କରିଥିଲେ, ଯାହା ତାଙ୍କ ଭାବମୂର୍ତ୍ତିକୁ ଆହୁରି ମଜବୁତ କରିଥିଲା।