Latest Odisha News

BREAKING NEWS

ଗ୍ରୀଷ୍ମକାଳୀନ ଶିବିର ନାଁରେ ବାହାର ରାଜ୍ୟକୁ ଚାଲାଣ? ପୋଲିସ ହାବୁଡ଼ରେ ଧରାପଡ଼ିଲା ବସ୍

ମାଲକାନଗିରି: ରାଜ୍ୟର ସୀମାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏକ ବଡ଼ ଧରଣର ଶିଶୁ ଚାଲାଣ ଉଦ୍ୟମ ପଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସମର୍ କୋର୍ସ ଏବଂ ସୁଟିଂ କାର୍ଯ୍ୟକ୍ରମର ବାହାନା ଦେଖାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବେଳେ ରବିବାର ରାତିରେ ଏକ ଯାତ୍ରୀବାହୀ ବସ୍‌ରୁ ପ୍ରାୟ ୧୫ ଜଣ ନାବାଳକ ଏବଂ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।

ଶିଶୁ ହେଲ୍ପଲାଇନ୍ ନିକଟରେ ଏକ ଗୁପ୍ତ ସୂଚନା ପହଞ୍ଚିଥିଲା ଯେ, କିଛି ଦଲାଲ୍ ଛୋଟ ପିଲାମାନଙ୍କୁ ପ୍ରଲୋଭନ ଦେଖାଇ ବେଆଇନ ଭାବେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଅଭିମୁଖେ ନେଇଯାଉଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ଚାଇଲ୍ଡ ୱେଲଫେୟାର୍ କମିଟି ଏବଂ ସ୍ଥାନୀୟ ପୋଲିସ ସକ୍ରିୟ ହୋଇଉଠିଥିଲେ। ମାଲକାନଗିରି ପୋଲିସ ଷ୍ଟେସନ୍ ସମ୍ମୁଖରେ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ବିଜୟୱାଡ଼ା ଯାଉଥିବା ‘ସାଇ କ୍ରିଷ୍ଣା’ ନାମକ ଏକ ଘରୋଇ ବସ୍‌କୁ ଅଟକାଇ ଯାଞ୍ଚ କରିବା ସମୟରେ, ବସ୍ ଭିତରେ ବହୁ ସଂଖ୍ୟାରେ ନାବାଳକ ଓ ନାବାଳିକା ରହିଥିବା ଦେଖିବାକୁ ମିଳିଥିଲା।

ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ସିଡବ୍ଲ୍ୟୁସି କାଉନସେଲର୍ ଅଜୟ ହାଲଦାର୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ଶିଶୁ ଚାଲାଣ ସନ୍ଦେହରେ ଆମକୁ ଏକ ଅଭିଯୋଗ ମିଳିଥିଲା। ଆମେ ଜଣେ କେସ୍ ୱାର୍କର୍‌ଙ୍କ ସହ ମିଶି ପୋଲିସ ଥାନା ସାମ୍ନାରେ ବସ୍‌କୁ ଅଟକାଇଥିଲୁ। ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ ଏହି ପିଲାମାନଙ୍କୁ ସମର୍ କୋର୍ସ ବାହାନାରେ ବିଜୟୱାଡ଼ା ନିଆଯାଉଛି। ସଙ୍ଗେସଙ୍ଗେ ଆମେ ୧୫ ଜଣ (ଉଭୟ ପୁଅ ଓ ଝିଅ) ପିଲାଙ୍କୁ ବସ୍‌ରୁ ତଳକୁ ଓହ୍ଲାଇଥିଲୁ ଏବଂ ପୋଲିସକୁ ହସ୍ତାନ୍ତର କରିଥିଲୁ।”

ଉଦ୍ଧାର ହୋଇଥିବା ସମସ୍ତ ପିଲାମାନଙ୍କୁ ବର୍ତ୍ତମାନ ସୁରକ୍ଷିତ ସ୍ଥାନରେ ରଖାଯାଇଛି ଏବଂ ସେମାନଙ୍କୁ ଚାଇଲ୍ଡ ୱେଲଫେୟାର୍ କମିଟି ସମ୍ମୁଖରେ ହାଜର କରାଯିବ। ଆଇନଗତ ପ୍ରକ୍ରିୟା ଏବଂ ପରିଚୟ ଯାଞ୍ଚ ପରେ ପିଲାମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ହାଲଦାର୍ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଏତେ ସଂଖ୍ୟାରେ ପିଲାମାନଙ୍କୁ କିଏ ଏବଂ କାହିଁକି ଆନ୍ଧ୍ରପ୍ରଦେଶ ନେଉଥିଲା, ଏହା ପଛରେ କୌଣସି ଆନ୍ତଃରାଜ୍ୟ ମାନବ ଚାଲାଣ ରାକେଟର ହାତ ଅଛି କି ନାହିଁ, ସେ ନେଇ ପୋଲିସ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.