ବିଭୁପ୍ରସାଦ ତ୍ରିପାଠୀ
ପ୍ରତିବର୍ଷ ଏପ୍ରିଲ ୨୮ ତାରିଖ ମଧୁବାବୁଙ୍କ ଜନ୍ମ ଜୟନ୍ତୀକୁ ସାରା ରାଜ୍ୟର ଆଇନଜୀବୀ ମାନେ ଆଇନଜୀବୀ ଦିବସ ଭାବେ ପାଳନ କରନ୍ତି। ଏହି ଅବସରରେ ସବୁ ବାର୍ ଆସୋସିଏସନ୍ ସଭାଗୃହରେ ମଧୁବାବୁଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ, ତାଙ୍କର କୃତୀ ଓ କୃତିତ୍ୱକୁ ନେଇ ସାଧାରଣ ସଭା ଅନୁଷ୍ଠିତ ହେଉଛି। ଏହି ଜୟନ୍ତୀରେ ଆଇନ ପେଷାରେ ମଧୁବାବୁଙ୍କ ସ୍ୱାଭିମାନ, ବିଚାରଧାରା, ଓକିଲ ପଣିଆ ଓ ସାମାଜିକ ଦାୟିତ୍ୱ ପ୍ରସଙ୍ଗ ସମ୍ପର୍କରେ ଆଇନ ପେଷାରେ ଯୋଗ ଦେଉଥିବା ନୂଆପିଢ଼ି ଅବଗତ ହେବା ଲାଗି କୌଣସି ପ୍ରଚେଷ୍ଟା କରାଯାଉ ନାହିଁ। ଯାହାର ଫଳ ସ୍ୱରୁପ ଆଇନଜୀବୀ ଦିବସଟିକୁ କେବଳ ଗୋଟିଏ ଛୁଟି ଦିବସ ଭାବେ ରାଜ୍ୟର ଅନେକ ଆଇନଜୀବୀ ମାନେ ଗ୍ରହଣ କରି ନେଇଛନ୍ତି। ସେଥିପାଇଁ ଆଇନଜୀବୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱ, ସ୍ୱାଭିମାନ କିମ୍ବା ଅସ୍ମିତା ଭାବକୁ ସଞ୍ଚରିତ କରିବା ପାଇଁ ମଧୁବାବୁଙ୍କ ଜୀବନକୁ ବାରମ୍ବାର ଅଧ୍ୟୟନ କରିବା ଏବଂ ଅନୁଶୀଳନ କରିବା ସାମ୍ପ୍ରତିକ ପରିସ୍ଥିତିରେ ବେଶୀ ପ୍ରାସଙ୍ଗିକ ହୋଇ ପଡ଼ିଛି।
ମଧୁବାବୁ ତତ୍କାଳୀନ ଅବସ୍ଥାରେ ବି.ଏଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କଲିକତାର ଚବିଶି ପ୍ରଗଣାର ଅଲ୍ଲୀପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ କଲିକତା ହାଇକୋର୍ଟରେ ପେଷାଗତ ଅଭିବୃଦ୍ଧି ପାଇଁ ସେ ବିଶିଷ୍ଟ ଇଂରେଜ ବାରିଷ୍ଟର ଜେ.ଡି ଉଡ୍ ରଫ୍ ଙ୍କ ସିରସ୍ତାରେ ଜୁନିଅର ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ‘ଉତ୍କଳ ଦୀପିକା’ ଖବରକାଗଜରେ ସେ ଓଡ଼ିଆ ହୋଇ ମଧ୍ୟ କଲିକତାରେ ଅଧ୍ୟୟନ କରିବା ପରେ ତାଙ୍କ ଭିତରେ ଓଡ଼ିଆ ବୋଧ ଜାଗ୍ରତ ହେଲା ନାହିଁ ବୋଲି ଗୋଟିଏ ଲେଖା ତାଙ୍କୁ ଅଭିଭୂତ କରି ପକାଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ଯେତେବେଳେ ଓକିଲାତି ପେଷା ଆରମ୍ଭ କରିବା ପାଇଁ ଓଡ଼ିଶାରେ ପହଞ୍ଚିଥିଲେ ‘ଉତ୍କଳ ଦୀପିକା’ରେ ମଧ୍ୟ ସେ ପ୍ରସଙ୍ଗଟି ଆଉଥରେ ପ୍ରକାଶିତ ହୋଇଥିଲା। କଟକର ଚାନ୍ଦିନୀଚୌକର ବିହାରିବାଗ କୋଠାରେ ଭଡ଼ାଘରେ ମଧୁବାବୁ ଆରମ୍ଭ କରିଥିଲେ ତାଙ୍କ ଓକିଲାତି। ମଧୁବାବୁଙ୍କ ଭିତରେ ଥିବା ଆତ୍ମପ୍ରତ୍ୟୟ ଅଭିମାନର ଫଳ ସ୍ୱରୁପ ତାଙ୍କୁ କଟକ ବାର୍ ଲାଇବ୍ରେରୀରେ ବସିବା ପାଇଁ ଚଉକି ଖଣ୍ଡେ ମିଳି ନଥିଲେ ମଧ୍ୟ ସେ ଜଜ୍ ସାହେବ କକ୍ଲାନଙ୍କର କୋର୍ଟ ବାରଣ୍ଡାରେ ଆରାମ ଚୌକୀ ପକାଇ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ।
ବିଚାରପତି ତାଙ୍କୁ ଯେତେବେଳେ ଏ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ, ତାଙ୍କ ଭିତରେ ଥିବା ଓକିଲ ପଣିଆର ସେ ପରିଚୟ ଦେଇ ଉତ୍ତର ଦେଇଥିଲେ ଯେ ଓଡ଼ିଆଙ୍କ ବାର୍ ଲାଇବ୍ରେରୀରେ ଓଡ଼ିଆ ଓକିଲଙ୍କ ପାଇଁ ସ୍ଥାନ ନାହିଁ। ସେଥିପାଇଁ ମୋର ବିଶ୍ୱାସ ହଜୁରଙ୍କ ବାରଣ୍ଡାରେ ମୋ ପାଇଁ ସ୍ଥାନ ଅଭାବ ହେବ ନାହିଁ। ଜଜ୍ ସାହେବ ଏଭଳି ଶାଣିତ ଉତ୍ତର ଶୁଣି ମଧୁବାବୁଙ୍କୁ କହିଥିଲେ ଯେ ବାର୍ ଲାଇବ୍ରେରୀର ପରିଚାଳନା ସମ୍ପର୍କରେ ଜଣେ ବିଚାରପତି ଭାବେ ସେ କିଛି କରିପାରିବେ ନାହିଁ। ତାଙ୍କର ଖାସ୍ କମରାକୁ ଲାଗି ପେସ୍କାରଙ୍କ ପାଇଁ ଯେଉଁ କୋଠରି ଅଛି ତାକୁ ମଧୁବାବୁ ବ୍ୟବହାର କରିପାରିବେ।
ମଧୁସୂଦନ ପ୍ରଥମେ ଚିନ୍ତା କରିଥିଲେ ଯେ ଓକିଲାତି ପେଷାରେ ସେ ଟଙ୍କା ରୋଜଗାର କରିପାରିବେ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଉପଲବ୍ଧି କରିଥିଲେ ଯେ ସେଭଳି ଓଡ଼ିଆ ମହକିଲ ପାଇବା ତାଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ସେଥିପାଇଁ ଓକିଲାତି ଜୀବନ ସହିତ ତାଙ୍କ ରାଜନୈତିକ ଜୀବନର ସମ୍ପର୍କ ଅଧିକ ଘନୀଭୁତ ହୋଇଥିଲା। ଆଇନପେଷାର ସାଂସ୍କୃତିକ ସ୍ୱକୀୟତାକୁ ସେ ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ବୁଝି ପାରିଥିଲେ। ଯାହାର ଫଳ ସ୍ୱରୂପ ଅନେକ ମକଦ୍ଦମା ସେ ମାଗଣାରେ ଲଢିଥିଲେ। ଆଇନଜୀବୀ ମାନଙ୍କ ମଧ୍ୟରେ ନୈତିକତାର ଗୋଟିଏ ନୂତନ ପରିଭାଷା ତିଆରି କରିଥିଲେ ମଧୁସୂଦନ। କଟକର ମାନସିଂହ ପାଟଣାର ଡକାୟତି ମାମଲାରେ ତାଙ୍କୁ ଅଭିଯୁକ୍ତ କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର ହୋଇଥିଲା ସେଥିରେ ସେ ଆଦୌ ବିଚଳିତ ହୋଇ ପଡ଼ିନଥିଲେ।
ଡକାୟତ ମାନେ ଯେଉଁ ସୁନାରୂପା ଡକାୟତି କରି ଆଣନ୍ତି ସେଗୁଡ଼ିକ ମଧୁବାବୁଙ୍କ ତାରକସି କାରଖାନାରେ ଲଗାଯାଇଥାଏ ବୋଲି ଅଭିଯୋଗ ଆସିଥିଲା। ତାର କାରଣ ହେଉଛି ମାନସିଂହ ପାଟଣା ବଣିଆ ମହାଜନ ଘରୁ ଯେଉଁ ସୁନାରୂପା ଡକାୟତି ହୋଇଥିଲା ସେଥିରେ ଅଭିଯୁକ୍ତ ରଙ୍ଗା ଓ ଦାନୀଙ୍କ ପାଇଁ ମକଦ୍ଦମା ପରିଚାଳନା କରିବାକୁ ଆଗଭର ହୋଇଥିଲେ ମଧୁସୂଦନ। ସେ ନିଜେ ଉପଲବ୍ଧି କରିଥିଲେ ଯେ ପୋଲିସ୍ କେବଳ ସନ୍ଦେହ ଓ ପାରିପାର୍ଶ୍ୱିକ ପ୍ରମାଣ ବଳରେ ସେ ଦୁହିଁଙ୍କୁ ଗିରଫ କରିଥିଲା। ସେମାନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ମଧୁବାବୁଙ୍କ ପ୍ରୟାସ ତତ୍କାଳୀନ ପୋଲିସ ପଦାଧିକାରୀମାନଙ୍କୁ ମଧୁବାବୁଙ୍କ ଚରିତ୍ର ସଂହାରପାଇଁ ସୁବର୍ଣ୍ଣ ସୁଯୋଗ ଦେଇଥିଲା।
ତାଙ୍କର ତାରକସି କାରଖାନାରେ ଏଭଳି ଡକାୟତି ସୁନାରୂପା ବ୍ୟବହାର କରାଯାଉଥିବାର ଅଭିଯୋଗ କରିବା ସୁବିଧାଜନକ ହୋଇ ପଡ଼ିଥିଲା । ପରବର୍ତ୍ତୀ ଅବସ୍ଥାରେ ଅଭିଯୁକ୍ତମାନେ ଖଲାସ ହେବା ଓ ମଧୁସୂଦନଙ୍କ ବିରୁଦ୍ଧରେ ପୋଲିସ ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ମଧୁବାବୁଙ୍କ ଭିତରେ ଥିବା ଓକିଲାତି ପେଷାର ସାହସିକତାର ପରିଚୟ ଦିଏ । ମଧୁବାବୁ ସେତିକି ବେଳେ ଏ ମକଦ୍ଦମାର ପରିଚାଳନା ନ କରିଥିଲେ ଏହି ଦୁଇ ଅଭିଯୁକ୍ତ ସାରାଜୀବନ ଦ୍ୱିପାନ୍ତରିତ ହୋଇ ରହି ଥାଆନ୍ତେ।
ଆଇନଜୀବୀଙ୍କ ଅସ୍ମିତାର ଅନ୍ୟତମ ବିନ୍ଧାଣୀ ଭାବେ ମଧୁବାବୁଙ୍କ ଆଇନପେଷା ଜୀବନକୁ ନିରିଖେଇ ଦେଖିଲେ ଜଣାପଡ଼େ ଯେ ଆଇନପେଷାରେ ତାଙ୍କ ସାଧନା ଓ ମୁଣ୍ଡଟେକି ଓଡ଼ିଆ ଓକିଲ ଭାବେ ଚାଲିବା ପାଇଁ ତାଙ୍କର ପ୍ରଚେଷ୍ଟା ଯୁବପିଢ଼ି ଓକିଲଙ୍କ ପାଇଁ ପ୍ରେରଣାଦାୟକ। ମଧୁବାବୁଙ୍କ ଜୁନିୟର ଗୋକୁଳାନନ୍ଦ ଚୌଧୁରୀ ମଧୁବାବୁଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେବା ଘଟଣାରେ ବିଧାନସଭା ପରିଷଦକୁ ଯିବା ପାଇଁ ସେ ନିଜେ ଯୋଗ୍ୟ ନୁହନ୍ତି ବୋଲି କହିବା ତାଙ୍କର ‘ମୁଁ ପଣିଆ’ରେ ଥିବା ବିନମ୍ରତାର ପରିଚୟ ଦେଇଥିଲା।
ନିଜର ସହକର୍ମୀ ଓକିଲମାନଙ୍କୁ ମଧୁବାବୁଙ୍କ ଭଲପାଇବା, ସେମାନଙ୍କୁ ସାଥୀରେ ନେଇ ଖାଇବା ଓ ଏକାଠି ରହିବାରୁ ବାରି ହୋଇ ପଡ଼ୁଥିଲା। ଆଜି ବରିଷ୍ଠ ଆଇନଜୀବୀ ଓ ସହକର୍ମୀ ମାନଙ୍କ ମଧ୍ୟରେ ସେହି ପ୍ରକାରର ସମ୍ପର୍କର ସେତୁର ଆବଶ୍ୟକତା ପଡ଼ିଛି। ନିଜେ ରାତିସାରା ମକଦ୍ଦମାର ଶୁଣାଣିର ପ୍ରସ୍ତୁତି କରିବା ସମୟରେ ସହକର୍ମୀ ମାନଙ୍କ ସହ ଏକାଠି କାର୍ଯ୍ୟ କରିବା ଓ ଅନେକ ରାତିରେ ମଧୁବାବୁ ନିଜ ଚାମ୍ବରରେ ଶୋଇଯିବା ଘଟଣା ଆଇନ ପେଷା ପାଇଁ ତାଙ୍କ ନିଷ୍ଠା ଓ ସାଧନାକୁ ପ୍ରମାଣିତ କରୁଥିଲା ଏବଂ ତାହା ସହକର୍ମୀ ଓକିଲମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା।
ନିଜ ଲାଇବ୍ରେରୀ ସହ ମଧୁବାବୁଙ୍କର ଥିଲା ପ୍ରଗାଢ଼ ବନ୍ଧୁତ୍ୱ । ସେ ଲାଇବ୍ରେରୀରେ କେବଳ ଆଇନ ବହି ନୁହେଁ ତତ୍ ସହିତ ଡାକ୍ତରୀ, ଇଞ୍ଜିନିୟରିଂ, ରାଜନୀତି, ଆଧ୍ୟାତ୍ମବାଦ ଓ ସାହିତ୍ୟ ଆଦି ଅନେକ ବିଷୟର ବହି ରହିଥିଲା । ଜଣେ ଭଲ ଓକିଲ ହେବା ଲାଗି ଆଇନ ସହ ଅନ୍ୟାନ୍ୟ ବହୁ ବିଷୟରେ କିଭଳି ଜ୍ଞାନ ଆହରଣ କରିବାକୁ ପଡ଼େ ତାହା ମଧୁବାବୁଙ୍କ ଲାଇବ୍ରେରୀରୁ ଜଣା ପଡ଼ୁଥିଲା ।
ଓକିଲାତି ପେଷାରେ ମଧୁବାବୁଙ୍କ ସାଧୁତାର ଜ୍ୱଳନ୍ତ ନିଦର୍ଶନ ଥିଲା ମକଦ୍ଦମା ଗୁଡ଼ିକରେ ଅର୍ଥ ସର୍ବସ୍ୱ ନ ହୋଇ ତାକୁ ପରିଚାଳନା କରିବାରେ ତାଙ୍କର ଦକ୍ଷତା। ଥରେ ମକଦ୍ଦମା ପରିଚାଳନା କରୁଥିଲା ବେଳେ ଜଣେ ବିଚାରପତି ମଧୁବାବୁଙ୍କୁ ତାତ୍ସଲ୍ୟପୂର୍ଣ୍ଣ ସ୍ୱରରେ କହିଥିଲେ ଯେ ଆପଣ କଣ କହୁଛନ୍ତି ମୁଁ ବୁଝିପାରୁନାହିଁ। ମଧୁବାବୁ ତାହାର ଉତ୍ତରରେ ଶାନ୍ତ ସ୍ୱରରେ କହିଥିଲେ ଯେ ‘‘ହଜୁର ମୁଁ କେବଳ ମକଦ୍ଦମା ସମ୍ପର୍କରେ ଯାହା ତଥ୍ୟ ଅଛି ତାହା ଉପସ୍ଥାପିତ କରି ପାରିବି, କିନ୍ତୁ ମକଦ୍ଦମା ବୁଝିବା ପାଇଁ ମସ୍ତିଷ୍କ ପ୍ରଦାନ କରି ପାରିବି ନାହିଁ। ’’
ଆଇନଜୀବୀର ସତ୍ତା ଓ ପ୍ରାଣକେନ୍ଦ୍ର ଆଇନଜୀବୀର ସ୍ୱାଭିମାନ, ସ୍ୱାଧୀନତା ଓ ସାଧୁତା। ମଧୁବାବୁଙ୍କ ଓକିଲାତି ଜୀବନରେ ଏହି ଆତ୍ମପ୍ରତ୍ୟୟ ସମ୍ପନ୍ନ ଉନ୍ମାସିକତା ସବୁ ସମୟରେ ଦେଖିବାକୁ ମିଳିଥିଲା । ସମାଜ ପାଇଁ, ଜାତି ପାଇଁ, ତାଙ୍କର ଯେତିକି ପ୍ରତିବଦ୍ଧତା ଥିଲା ନିଜ ମହକିଲଙ୍କ ମକଦ୍ଦମା ଲଢିବା ପାଇଁ ତାଙ୍କ ଭିତରେ ଥିଲା ସେତିକି ପାରଦର୍ଶିତା। ଆଜି ଯେତେବେଳେ ଆଇନଜୀବୀ ମାନେ କୋର୍ଟ, କଚେରୀ ଓ ସାମାଜିକ ବ୍ୟବସ୍ଥାର ଶ୍ୱାସରୁଦ୍ଧକାରୀ ପରିସ୍ଥିତି ସମ୍ପର୍କରେ କୌଣସି ଆଲୋଚନା କିମ୍ବା ବିତର୍କରେ ଭାଗ ନ ନେଇ ନୀରବଦ୍ରଷ୍ଟା ଭାବେ ନିଜର ସ୍ୱାଧୀକାର ଓ ସ୍ୱାଭିମାନକୁ ବଳି ଦେଉଛନ୍ତି ସେତେବେଳେ ମଧୁ ଆଦର୍ଶ ଓ ବିଚାରଧାରା, ପେଷାଗତ ଜୀବନ ଓ ଆତ୍ମସମ୍ମାନବୋଧ ଏହି ନୂଆପିଢ଼ିର ଆଇନଜୀବୀଙ୍କ ପାଇଁ ନିଶ୍ଚିତ ରୂପେ ଉଜ୍ଜ୍ୱଳବର୍ତ୍ତିକା ପାଲଟିବ।
(ବରିଷ୍ଠ ଆଇନଜୀବୀ, ସଭ୍ୟ, ରାଜ୍ୟ ଆଇନଜୀବୀ ପରିଷଦ, ଦୂରଭାଷ- ୯୪୩୭୦୧୨୪୬୦)