Latest Odisha News

BREAKING NEWS

India fifth-largest Military Spender: ସେନାଙ୍କ ଉପରେ ପାଣି ଭଳିଆ ଟଙ୍କା ବୁହାଉଛି ଏହି ଦେଶ…

ନୂଆଦିଲ୍ଲୀ: ପେଟକୁ ପଛେ ଦାନା ନ ମିଳୁ, କିନ୍ତୁ ଦେଶର ସାମରିକ ଏବଂ ଅସ୍ତ୍ରଶସ୍ତ୍ରରେ କୌଣସି ଅଭାବ ପରିଲକ୍ଷିତ ନ ହେଉ। ବଦଳୁଥିବା ବିଶ୍ୱ ଦୃଶ୍ୟପଟ ଏବଂ ପାରସ୍ପରିକ ଦ୍ୱନ୍ଦ୍ୱ ମଧ୍ୟରେ ଏବେ ବିଶ୍ୱର ପ୍ରତ୍ୟେକ ଦେଶ ଏହି ପ୍ରଚେଷ୍ଟାରେ ଲାଗିଛନ୍ତି। ଦେଶଗୁଡ଼ିକ ଏବେ ସେମାନଙ୍କର ପ୍ରତିରକ୍ଷା ଏବଂ ସୁରକ୍ଷା ପାଇଁ ସାମରିକ ଏବଂ ଅସ୍ତ୍ରଶସ୍ତ୍ର ଉପରେ ବିପୁଳ ପରିମାଣରେ ଖର୍ଚ୍ଚ କରୁଛନ୍ତି। ଏନେଇ ଷ୍ଟକହୋମ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI) ର ଏକ ସାମ୍ପ୍ରତିକ ରିପୋର୍ଟରେ ଅନେକ ବଡ଼ ଖୁଲାସା ହୋଇଛି। ଯେଉଁଥିରେ କୁହାଯାଇଛି ଯେ ଭାରତ ଏବେ ସାମରିକ ଖର୍ଚ୍ଚରେ ପଞ୍ଚମ ବୃହତ୍ତମ ଦେଶ ହୋଇଗଲାଣି, ଯେତେବେଳେ କି ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଖରାପ।

SIPRI ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଆମେରିକା। ଆମେରିକା ତା ସେନା ଏବଂ ସାମରିକ ଅସ୍ତ୍ରଶସ୍ତ୍ର ପାଇଁ ପାଣି ଭଳି ଟଙ୍କା ବୁହାଉଛି। ଆମେରିକା, ଚୀନ୍, ରୁଷ ଏବଂ ଜର୍ମାନୀ ପରେ ବିଶ୍ୱର ପଞ୍ଚମ ବୃହତ୍ତମ ସାମରିକ ଖର୍ଚ୍ଚକାରୀ ଦେଶ ପାଲଟିଛି ଭାରତ। ଭାରତ ୨୦୨୫ରେ ପ୍ରତିରକ୍ଷା ପାଇଁ ୯୨.୧ ବିଲିୟନ ଡଲାର ଖର୍ଚ୍ଚ କରିଛି, ଯାହା ପୂର୍ବ ବର୍ଷ ତୁଳନାରେ ୮.୯ ପ୍ରତିଶତ ଅଧିକ। ଆଉ ଭାରତ ତାର ସାମରିକ ଶକ୍ତିକୁ ସୁଦୃଢ଼ କରିବା ପାଇଁ ବିଶ୍ୱ ସାମରିକ ଖର୍ଚ୍ଚର ୩.୨% ଖର୍ଚ୍ଚ କରିଛି।

ଭାରତର ପଡ଼ୋଶୀ ଦେଶ ଚୀନ୍ ମଧ୍ୟ ନିରନ୍ତର ଭାବରେ ତାର ସାମରିକ ଶକ୍ତିକୁ ସୁଦୃଢ଼ କରୁଛି, ଯାହା ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ରିପୋର୍ଟ ଦର୍ଶାଉଛି ଯେ ଚୀନ୍ ବିଶ୍ୱର ଦ୍ୱିତୀୟ ସର୍ବାଧିକ ସାମରିକ ଖର୍ଚ୍ଚକାରୀ ଭାବରେ ରହିଛି। ଚୀନ୍‌ର ଉଦାହରଣ ଅନୁସରଣ କରି, ପାକିସ୍ତାନ ମଧ୍ୟ ୨୦୨୫ ରେ ତାର ସାମରିକ ଖର୍ଚ୍ଚ ୧୧% ବୃଦ୍ଧି କରି ୧୧.୯ ବିଲିୟନ ଡଲାର କରିଛି, କିନ୍ତୁ ଏହା ପରେ ମଧ୍ୟ ଭାରତର ନିକଟତର ହେବା ତା ପାଇଁ ଏକ ଦୂର ସ୍ୱପ୍ନ। କାରଣ ପାକିସ୍ତାନ ଏହି ତାଲିକାରେ ୩୧ ତମ ସ୍ଥାନରେ ଅଛି।

ବିଶ୍ୱସ୍ତରୀୟ ଭାବରେ, ୨୦୨୫ ରେ ବିଶ୍ୱର ମୋଟ ସାମରିକ ଖର୍ଚ୍ଚ ୨,୮୮୭ ବିଲିୟନ ଡଲାରରେ ପହଞ୍ଚି ସାରିଛି, ଆଉ ସବୁଠାରୁ ଆକର୍ଷଣୀୟ କଥା ହେଉଛି ଏହାର ୫୦ ପ୍ରତିଶତ କେବଳ ତିନୋଟି ଦେଶ ବହନ କରନ୍ତି। ଆମେରିକା, ଚୀନ୍ ଏବଂ ରୁଷିଆ ମିଳିତ ଭାବରେ ୧,୪୮୦ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି, ଯାହା ବିଶ୍ୱ ସାମରିକ ଖର୍ଚ୍ଚର ୫୧% ପ୍ରତିନିଧିତ୍ୱ କରେ।

SIPRI ର ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଭାରତ ଏବେବି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ଭାବରେ ରହିଛି। ଯଦିଓ ସରକାର ୨୦୨୧ ରୁ ୨୦୨୫ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ୪% ହ୍ରାସ କରିଛନ୍ତି, ଆଉ ଆତ୍ମନିର୍ଭରଶୀଳ ଭାରତକୁ ବେଶ୍। ପ୍ରୋତ୍ସାହନ ମିଳିଛି। ତଥାପି ଭାରତ ବିଶ୍ୱ ଅସ୍ତ୍ରଶସ୍ତ୍ର ଆମଦାନୀର ୮.୨% ଅଟେ। ଭାରତ ରୁଷଠାରୁ ସର୍ବାଧିକ ଅସ୍ତ୍ରଶସ୍ତ୍ର କିଣୁଛି।

Leave A Reply

Your email address will not be published.