ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ରାଜ୍ୟ ସରକାରଙ୍କୁ ‘ମହିଳା ବିରୋଧୀ’ ବୋଲି ଦର୍ଶାଇବା ସହ ଏହି ଅଧିବେଶନରେ କଂଗ୍ରେସ ନିଜର ଦୃଢ଼ ଦାବି ରଖିବ ବୋଲି ସେ ସୂଚନା ଦେଇଛନ୍ତି।
କାଡ଼ାମ କହିଛନ୍ତି ଯେ, ସ୍ୱତନ୍ତ୍ର ଅଧିବେଶନ ପାଇଁ କଂଗ୍ରେସର ରଣନୀତି ପ୍ରସ୍ତୁତ କରିବାକୁ ଆଜି ସନ୍ଧ୍ୟାରେ ବିଧାୟକ ଦଳର ବୈଠକ ବସିବ। ଦଳ ଏହି ଅଧିବେଶନରେ ସକ୍ରିୟ ଭାବେ ସାମିଲ ହେବ ଏବଂ ଜନସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇବ।
ମହିଳାଙ୍କ ଅଧିକାର ପାଇଁ କଂଗ୍ରେସ ସର୍ବଦା କାମ କରିଆସିଛି ବୋଲି ଦାବି କରି ଶ୍ରୀ କାଡ଼ାମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି: ଦେଶକୁ ପ୍ରଥମ ମହିଳା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବାଚସ୍ପତି କଂଗ୍ରେସ ହିଁ ଦେଇଛି।
ମହିଳା ସଂରକ୍ଷଣ ବିଲ୍ ୨୦୨୩ ପାସ୍ ହୋଇସାରିଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି? ୫୪୩ ଆସନରେ ପ୍ରଥମେ ୩୩% ସଂରକ୍ଷଣ ଲାଗୁ କରାଯାଉ।
ଶାସକ ଦଳ ନିଜ ସଂଗଠନରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଛନ୍ତି କି? କର୍ମରେ ନୁହେଁ ବରଂ କେବଳ ବଡ଼ ବଡ଼ କଥାରେ ଏହି ସରକାର ଚାଲିଛି।
ରାଜ୍ୟରେ ମହିଳାଙ୍କ ଉପରେ ବଢୁଥିବା ହିଂସା ଓ ନିର୍ଯାତନାକୁ ନେଇ ସେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। “ଗୋଟିଏ ପଟେ ମହିଳାମାନେ ଅସୁରକ୍ଷିତ, ଅନ୍ୟପଟେ ସରକାର ନାରୀ ସଂରକ୍ଷଣ ବିଲ୍ ଉପରେ ଆଲୋଚନା କରିବାକୁ କହୁଛନ୍ତି, ଏହାର ଅର୍ଥ କଣ?” ବୋଲି ସେ ପ୍ରଶ୍ନ କରିଛନ୍ତି।
”ମହିଳାମାନଙ୍କ ଅଧିକାର ପାଇଁ କଂଗ୍ରେସ ସର୍ବଦା ଆଗକୁ ଆସିଛି ଏବଂ ଆଗକୁ ମଧ୍ୟ ଏହି ଲଢ଼େଇ ଜାରି ରହିବ।” ବୋଲି ରାମଚନ୍ଦ୍ର କାଡ଼ାମ କହିଛନ୍ତି.