ଭଦ୍ରକ: ରାସନରେ ମିଳୁଥିବା ସରକାରୀ ଚାଉଳକୁ ନେଇ ପୁଣି ଉଠିଲା ବଡ଼ ପ୍ରଶ୍ନ। ଚାଉଳ ବସ୍ତାରେ ପ୍ଲାଷ୍ଟିକ୍ ଚାଉଳ ମିଶିଥିବା ନେଇ ଏକ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ବାଲିପାଟଣା ଗାଁରେ। ସଠିକ୍ ସୂଚନା ଏବଂ ସଚେତନତା ଅଭାବରୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) କୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବୁଧବାର ଦିନ ରାସନ ଚାଉଳ ପାଇଥିବା ଜଣେ ହିତାଧିକାରୀ ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ, ରାସନ ଚାଉଳରେ କିଛି ଅସ୍ୱାଭାବିକ ଧଳା ରଙ୍ଗର ଚାଉଳ ମିଶି ରହିଛି। ଯେତେବେଳେ ଏହି ଚାଉଳକୁ ଗରମ ପାଣିରେ ରନ୍ଧାଗଲା, ଏହା ନାଲି ରଙ୍ଗ ଧାରଣ କରିବା ସହ ଭାଙ୍ଗିଲେ ସହଜରେ ଗୁଣ୍ଡ ହୋଇଯାଉଥିଲା। କେବଳ ସେତିକି ନୁହେଁ, ରାନ୍ଧିବା ସମୟରେ ଏଥିରୁ ଏକ ଅଜବ ଗନ୍ଧ ମଧ୍ୟ ବାହାରୁଛି। ତେଣୁ ଏହା ପ୍ଲାଷ୍ଟିକ୍ ଚାଉଳ ଏବଂ ଏହାକୁ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇପାରେ ବୋଲି ହିତାଧିକାରୀମାନେ ଭୟଭୀତ ହୋଇପଡ଼ିଛନ୍ତି।
ଗାଁର ଭବ ସାହୁ ନାମକ ଜଣେ ହିତାଧିକାରୀ କ୍ଷୋଭ ପ୍ରକାଶ କରି କହିଛନ୍ତି, “ସରକାର ଆମକୁ ଯେଉଁ ଚାଉଳ ଦେଉଛନ୍ତି, ତାର ମାନ ବହୁତ ଖରାପ। ବାଛିଲା ବେଳେ କିଛି ଚାଉଳ ଧଳା ଦିଶୁଛି ତ ଆଉ କିଛି ଖରାପ ବାହାରୁଛି। ଆମେ ଭଲ ଚାଉଳ ଖାଇବାକୁ ଚାହୁଁଛୁ। ଯଦି ସରକାର ଆମକୁ ଚାଉଳ ଯୋଗାଉଛନ୍ତି, ତେବେ ଅତିକମରେ ଭଲ ଏବଂ ମାନଯୁକ୍ତ ଚାଉଳ ଦେବା ଦରକାର।
ଅନ୍ୟପକ୍ଷରେ, ପ୍ଲାଷ୍ଟିକ୍ ଚାଉଳ ମିଶ୍ରଣ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଭଦ୍ରକ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ। ସେ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ପ୍ଲାଷ୍ଟିକ୍ ଚାଉଳ ନୁହେଁ, ବରଂ ଏହା ହେଉଛି ପୋଷକ ତତ୍ତ୍ୱ ଯୁକ୍ତ ‘ଫର୍ଟିଫାଏଡ୍ ଚାଉଳ’।
ଡିଏସଓ କହିଛନ୍ତି, “ପ୍ଲାଷ୍ଟିକ୍ ଚାଉଳ ବୋଲି କିଛି ନାହିଁ। ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ଭ୍ରାନ୍ତ ଧାରଣା ସମ୍ପୂର୍ଣ୍ଣ ଭିତ୍ତିହୀନ। ପିଡିଏସରେ ବ୍ୟବହାର ହେଉଥିବା ଏହି ସ୍ୱତନ୍ତ୍ର ଚାଉଳରେ ଭିଟାମିନ୍ ବି-୧୨, ଆଇରନ୍ ଏବଂ ଫୋଲିକ୍ ଏସିଡ୍ ଭଳି ଜରୁରୀ ପୋଷକ ତତ୍ତ୍ୱ ଭରି ରହିଛି।” ଅପପୁଷ୍ଟି ଦୂର କରିବା ଉଦ୍ଦେଶ୍ୟରେ ରାଜ୍ୟ ତଥା ଜିଲ୍ଲା ସ୍ତରରେ ପିଡିଏସ୍ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କୁ ଏହି ଚାଉଳ ଯୋଗାଇ ଦିଆଯାଉଛି।