Latest Odisha News

BREAKING NEWS

ବରିଷ୍ଠ IAS ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବାସଭବନରୁ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଖାମଖିଆଲି ହୋଇପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ସାଧାରଣ ଜନତାଙ୍କ କଥା ତ ଛାଡ଼ନ୍ତୁ, ଏବେ ଭିଭିଆଇପି (VVIP) ମାନଙ୍କ ଘର ମଧ୍ୟ ଆଉ ସୁରକ୍ଷିତ ହୋଇ ରହିନାହିଁ। କମିଶନରେଟ୍ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ ଦେଇ ଲୁଟେରାମାନେ ଏଥର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଘରେ କଳାକନା ବୁଲାଇଛନ୍ତି।

ରାଜ୍ୟର ବରିଷ୍ଠ ଆଇଏଏସ୍ (IAS) ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବାସଭବନରୁ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଘରୁ ବିପୁଳ ପରିମାଣର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ସାଂଘାତିକ ଅଭିଯୋଗ ହୋଇଛି।

ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ରାତିରେ ଅତି ଚତୁରତାର ସହ ଆଇଏଏସ୍ ଅଧିକାରୀଙ୍କ ବାସଭବନ ପରିସରରେ ପଶିଥିଲେ। ସେମାନେ ଘରର କବାଟ ବା ଝରକା ଭାଙ୍ଗି ଭିତରେ ପ୍ରବେଶ କରିବା ପରେ, ଆଲମିରା ତାଡ଼ି ସେଥିରେ ଥିବା ଦାମୀ ସୁନା ଗହଣା ଓ କ୍ୟାସ୍ ଧରି ଚମ୍ପଟ ମାରିଥିଲେ।

ସକାଳୁ ଉଠିବା ପରେ ଘରର ଜିନିଷପତ୍ର ଏଣେତେଣେ ପଡ଼ିଥିବା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘରୁ ଲୁଟ୍ ହୋଇଥିବା ଜାଣିବା ମାତ୍ରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଏବାବଦରେ ଖବର ଦିଆଯାଇଥିଲା।

ଖବର ପାଇବା ପରେ ସ୍ଥାନୀୟ ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛନ୍ତି। ସନ୍ଧାନୀ କୁକୁର ସହାୟତାରେ ଲୁଟେରାଙ୍କ ଟେର୍ ପାଇବାକୁ ଉଦ୍ୟମ ଜାରି ରହିଛି। ଏହାବ୍ୟତୀତ, ଅଧିକାରୀଙ୍କ ଘର ଏବଂ ଆଖପାଖ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୋଲିସ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ରାଜଧାନୀର ଏକ ସୁରକ୍ଷିତ ତଥା ପୋଶ୍ ଅଞ୍ଚଳରେ ଥିବା ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଘରେ ଦୁର୍ବୃତ୍ତମାନେ ପଶିବାକୁ କିପରି ସାହସ କଲେ? ଏତେ ସୁରକ୍ଷା ଭିତରେ ବି ଏହି ଲୁଟ୍ ପୋଲିସର ରାତ୍ରିକାଳୀନ ପେଟ୍ରୋଲିଂ ଏବଂ ତତ୍ପରତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲଗାଇଦେଇଛି। ସହରରେ ଲଗାତର ଭାବେ ବଢ଼ୁଥିବା ଚୋରି, ଲୁଟ୍ ଓ ଛିନତାଇ ଘଟଣା ସାଧାରଣ ନାଗରିକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ବର୍ତ୍ତମାନ ପୋଲିସ ପାଇଁ ଏହି ଲୁଟେରା ଗ୍ୟାଙ୍ଗ୍‌କୁ ଧରିବା ଏକ ବଡ଼ ଚାଲେଞ୍ଜ ପାଲଟିଛି।

Leave A Reply

Your email address will not be published.