କେନ୍ଦୁଝର: ବ୍ୟାଙ୍କ୍ରୁ ନିଜର ହକ୍ର ପଇସା ଉଠାଇବା ପାଇଁ ଭଉଣୀର କଙ୍କାଳକୁ କାନ୍ଧରେ ବୋହି ଆଣିଥିବା କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଏହି କରୁଣ ଅବସ୍ଥା ସମସ୍ତଙ୍କୁ ବ୍ୟଥିତ କରିଥିଲା। କିନ୍ତୁ ଜିତୁଙ୍କ ଦୁଃଖ ଏତିକିରେ ସରିନାହିଁ। ଗୋଟିଏ ପଟେ ସରକାରୀ ବ୍ୟବସ୍ଥାର ଖାମଖିଆଲି ମନୋଭାବ ତାଙ୍କୁ କନ୍ଦାଇଥିବା ବେଳେ, ଏବେ ନିଜ ସମାଜ ଓ ଗ୍ରାମବାସୀ ତାଙ୍କ ପାଇଁ ନୂଆ ଅଡ଼ୁଆ ସୃଷ୍ଟି କରିଛନ୍ତି। ମୃତ ଭଉଣୀର କଙ୍କାଳ ମାଟି ଖୋଳି ଆଣିବା ଘଟଣାକୁ ନେଇ ଏବେ ଗାଁରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଏବଂ ତାଙ୍କୁ ଶୁଦ୍ଧି ନହେଲେ ଗାଁରୁ ଏକାଘରିକିଆ (ବାସନ୍ଦ) କରିଦେବାର ଚେତାବନୀ ଦିଆଯାଇଛି।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଦିଆନାଳୀ ଗାଁ ଲୋକଙ୍କ କହିବା ଅନୁଯାୟୀ, ଜିତୁ ଯେଉଁ କାମ କରିଛନ୍ତି ତାହା ସେମାନଙ୍କ ପାରମ୍ପରିକ ରୀତିନୀତି ଏବଂ ସାମାଜିକ ପ୍ରଥାର ସମ୍ପୂର୍ଣ୍ଣ ବିରୋଧୀ। ମୃତଦେହକୁ ସମାଧି ଦେବାର ଦୀର୍ଘ ଦିନ ପରେ ପୁଣିଥରେ ମାଟି ଖୋଳି କଙ୍କାଳ ବାହାର କରିବା ତଥା ତାହାକୁ ଗାଁ ଦାଣ୍ଡରେ ଧରି ବୁଲିବା ଅଶୁଭ ବୋଲି ଗ୍ରାମବାସୀ ମାନୁଛନ୍ତି। ଏହାଦ୍ୱାରା ଗାଁର ପବିତ୍ରତା ନଷ୍ଟ ହୋଇଛି ବୋଲି ସେମାନଙ୍କର ବିଶ୍ୱାସ। ତେଣୁ ଏହି ପାପରୁ ମୁକ୍ତ ହେବା ପାଇଁ ଜିତୁଙ୍କୁ ଏବେ ‘ଶୁଦ୍ଧିକ୍ରିୟା’ କରିବାକୁ ପଡ଼ିବ। ଯଦି ସେ ନିଜର ଶୁଦ୍ଧି ନକରନ୍ତି, ତେବେ ତାଙ୍କୁ ସମାଜରୁ ବାସନ୍ଦ କରାଯିବ ବୋଲି ଗାଁର ମୁଖିଆମାନେ ସିଧାସଳଖ ଶୁଣାଇ ଦେଇଛନ୍ତି।
ମୃତ ଭଉଣୀ କାଲାରା ମୁଣ୍ଡାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୧୯ ହଜାର ୪୦୦ ଟଙ୍କା ପାଇବା ପାଇଁ ଜିତୁ ବାରମ୍ବାର ବ୍ୟାଙ୍କ ଦୌଡ଼ି ନିରାଶ ହୋଇଥିଲେ। ବ୍ୟାଙ୍କ୍ ଅଧିକାରୀମାନେ ବାରମ୍ବାର ମୃତ୍ୟୁର ପ୍ରମାଣ ମାଗିବାରୁ ସରଳ ଆଦିବାସୀ ବ୍ୟକ୍ତି ଜଣକ ବାଧ୍ୟ ହୋଇ ଭଉଣୀର କଙ୍କାଳକୁ ବ୍ୟାଙ୍କ୍ରେ ହାଜର କରିଦେଇଥିଲେ। ପରେ ପ୍ରଶାସନର ହସ୍ତକ୍ଷେପ ଫଳରେ ତାଙ୍କୁ ଉକ୍ତ ଆକାଉଣ୍ଟର ଟଙ୍କା ଏବଂ ରେଡ୍କ୍ରସ୍ ପାଣ୍ଠିରୁ ଅତିରିକ୍ତ ୩୦ ହଜାର ଟଙ୍କା ସହାୟତା ମିଳିଥିଲା ସତ, ହେଲେ ଏବେ ଗାଁ ଲୋକଙ୍କ ଏହି ନୂଆ ଫତୁଆ ତାଙ୍କ ଚିନ୍ତା ବଢ଼ାଇଦେଇଛି। ଶୁଦ୍ଧିକ୍ରିୟା ଏବଂ ଗାଁ ଲୋକଙ୍କୁ ଭୋଜିଭାତ ଦେବାରେ ସେହି ସବୁ ସହାୟତା ରାଶି ଖର୍ଚ୍ଚ ହୋଇଯିବାର ଆଶଙ୍କା ଦେଖାଦେଇଛି।
ନିରୀହ ଜିତୁ କେବଳ ନିଜ ଅଧିକାର ପାଇବାକୁ ଯାଇ ଅଜାଣତରେ ଏଭଳି ପଦକ୍ଷେପ ନେଇଥିଲେ। କିନ୍ତୁ ବର୍ତ୍ତମାନ ସରକାରୀ ବ୍ୟବସ୍ଥାର ଜଟିଳତା ଓ ସାମାଜିକ ପ୍ରଥାର ଚକ୍ରବ୍ୟୂହ ଭିତରେ ସେ ଏମିତି ଛନ୍ଦି ହୋଇଯାଇଛନ୍ତି ଯେ ତାଙ୍କ ଆଖିରୁ ଲୁହ ଶୁଖୁନାହିଁ।