ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଏବେ ପୀଡ଼ିତା ମହିଳାମାନେ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ସେଦିନ ସ୍ଥାନୀୟ ଲୋକେ ସାହାଯ୍ୟ ପାଇଁ ଆଗେଇ ଆସିନଥାନ୍ତେ, ତେବେ ସେମାନେ ଆଜି ଜୀବିତ ନଥାନ୍ତେ ।
ମହିଳାଙ୍କ କହିବା ମୁତାବକ, ସେମାନେ ସ୍କୁଟରରେ ଯାଉଥିବା ସମୟରେ ଦୁଇଜଣ ଯୁବକ ବାଇକ୍ରେ ଆସି ସେମାନଙ୍କୁ ଓଭରଟେକ୍ କରିବା ସହ ଗାଡ଼ିକୁ ଧକ୍କା ଦେଇଥିଲେ। ଏହାପରେ ଯୁବକମାନେ ସେମାନଙ୍କ ସହ ଅସଦାଚରଣ କରିଥିଲେ ଏବଂ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ । ମହିଳା ଦ୍ୱୟ ଭୟଭୀତ ହୋଇ ଚିତ୍କାର କରିବା ସହ ସହାୟତା ପାଇଁ ପୋଲିସକୁ (୧୧୨ ନମ୍ବର) ଫୋନ୍ କରିଥିଲେ ।
ମହିଳାଙ୍କ ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ଲୋକେ ଦୁଇ ଯୁବକଙ୍କୁ କାବୁ କରିବା ସହ ସେମାନଙ୍କୁ ବାଡ଼େଇବା ଆରମ୍ଭ କରିଦେଇଥିଲେ । ପୀଡ଼ିତା ମହିଳାମାନେ କହିଛନ୍ତି ଯେ, ଯୁବକମାନେ ଅତ୍ୟନ୍ତ ଉଗ୍ର ଥିଲେ ଏବଂ ସାଧାରଣ ଲୋକେ ସେମାନଙ୍କୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନେଇଥିଲେ।
ଏହି ମାମଲାରେ ମହିଳାଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଛି, ଯେଉଁଥିରେ ସେମାନେ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଓ ଅସଦାଚରଣର ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ, ମୃତ ଯୁବକ (ସୌମ୍ୟରଞ୍ଜନ ସ୍ୱାଇଁ)ଙ୍କ ପରିବାର ପକ୍ଷରୁ ମଧ୍ୟ ହତ୍ୟା ଅଭିଯୋଗରେ ମାମଲା ରୁଜୁ ହୋଇଛି । ପୋଲିସ ଏବେ ଉଭୟ ଦିଗରୁ ତଦନ୍ତ କରୁଛି ।