କୋଲକାତା: ଆଜି ଭାରତୀୟ ଜନତା ପାର୍ଟି ବିଜେପି ପାଇଁ ଏକ ଐତିହାସିକ ଦିନ । ପ୍ରଥମ ଥର ପାଇଁ ସ୍ବାଧୀନତା ପରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହୋଇଛି । ବିଦାୟ ନେଇଛନ୍ତି ମମତା ଦିଦି। ଶୁଭେନ୍ଦୁ ଦାଦାଙ୍କ ହାତକୁ ଆସିଛି ବଙ୍ଗ ଶାସନ । ଶନିବାର ବିଜେପିର ପ୍ରଥମ ସରକାରର ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଙ୍ଗବାସୀଙ୍କ ବିପୁଳ ଭଲ ପାଇବା ପାଇଁ ପୁଣି ଥରେ ନତ ମସ୍ତକ ହୋଇଥିଲେ । ମଞ୍ଚ ଉପରେ ଆଣ୍ଠୁ ମାଡି ପୂରା ବଙ୍ଗବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହାର ଭିଡିଓ ଏବେ ଖୁବ୍ ଜୋର ଭାଇରାଲ ହେଉଛି ।
ଆଉ ଏଥର ବଙ୍ଗରେ ବିଜେପି ଇତିହାସ ରଚିଛି । ପ୍ରଥମ ଥର ପାଇଁ ଦିଦିଙ୍କ ଗଡକୁ ଭାଙ୍ଗି ବିଜେପି ବଙ୍ଗରେ ସରକାର ଗଢିଛି । ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ, ବିଜେପି ଚମତ୍କାର ପ୍ରଦର୍ଶନ କରି ୨୦୭ ଆସନ ଜିତିଥିଲା, ଯେତେବେଳେ ୧୫ ବର୍ଷ ଧରି କ୍ଷମତାରେ ଥିବା ତୃଣମୂଳ କଂଗ୍ରେସକୁ ୮୦ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହି ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ଏବଂ ନନ୍ଦିଗ୍ରାମ ଉଭୟ ଗୁରୁତ୍ୱପୂର୍ଣ୍ଣ ଆସନରେ ବିଜୟୀ ହୋଇଥିଲେ। ସେ ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୫,୧୦୫ ଭୋଟରେ ପରାସ୍ତ କରିଥିଲେ। ସେ ନନ୍ଦିଗ୍ରାମ ଆସନରେ ମଧ୍ୟ ବିଜୟୀ ହୋଇଥିଲେ, ମୋଟ ୧,୨୭,୩୦୧ ଭୋଟ ପାଇଥିଲେ। ଭୋଟ ଗଣନା ସମୟରେ, ଭବାନୀପୁର ଆସନରେ ଶୁଭେନ୍ଦୁ ଅଧିକାରୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା, କିନ୍ତୁ ଶେଷରେ ବିଜେପି ନେତା ବିଜୟୀ ହୋଇଥିଲେ।
ତେବେ ପୂର୍ବରୁ ମମତାଙ୍କ ଅତି ଘନିଷ୍ଠ ଥିବା ଶୁଭେନ୍ଦୁ ପରେ ବିଜେପିରେ ଯୋଗ ଦେଇ ମମତାଙ୍କ ପାଇଁ ବଡ ପ୍ରତିନ୍ଦ୍ବନ୍ଦି ପାଲଟି ଯାଇଥିଲେ । ଆଉ ଟିଏମସିର ଖୁଣ ଜାଣି, ତାକୁ ବିଜେପିର ଗୁଣ କରି ବଙ୍ଗ ହାତେଇବାରେ ମୁଖ୍ୟ ଭୂମିକା ନିଭାଇଥିଲେ । ଯାହା ପରେ ଦିନେ ବିରୋଧୀ ଦଳ ନେତା ଥିବା ଶୁଭେନ୍ଦୁ ଅଧିକାରୀ , ପରେ ବିଧାୟକ ଦଳର ନେତା ଏବଂ ଏହା ପରେ ସିଧା ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ବନିଛନ୍ତି ଶୁଭେନ୍ଦୁ ଅଧିକାରୀ । ତାଙ୍କ ସହ ୫ ବିଜେପି ନେତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶୁଭେନ୍ଦୁ ଶପଥ ଗ୍ରହଣ କରୁଥିବା ବେଳେ ତାଙ୍କ ବ୍ୟାକ୍ ଗ୍ରାଉଣ୍ଡରେ ପୂରା ବଙ୍ଗର ସଂସ୍କୃତି ପ୍ରତିଫଳିତ ହୋଇଥିଲା । ଯାହା ପରେ ଆଜିଠୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ଶୁଭେନ୍ଦୁ ଯୁଗ । ଏହାପରେ ତାଙ୍କ ସରକାର କିପରି ମମତାଙ୍କ ଫେଲ ଉପରେ ସଫଳତା ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା ।