ଭୁବନେଶ୍ବର: ରାଜଧାନୀରେ ଛାତିରେ ଚାଲିଛି ବେଧଡକ ଗଞ୍ଜେଇ ଚୋରା ଚାଲାଣ । ଧରପଗଡ ସମୟରେ ପୋଲିସ ଉପରକୁ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଛନ୍ତି ଗଞ୍ଜେଇ ମାଫିଆମାନେ । ଚେକପୋଷ୍ଟକୁ ଭାଙ୍ଗି ଖସିପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗୋଡାଇ ଗୋଡାଇ ଧରିଛି ।
ଏହି ଗଞ୍ଜେଇ ବୌଦ୍ଧରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଜଣାପଡିଛି । ଯେତବେଳେକି କୁଇଣ୍ଟାଲରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ନାର୍କୋଟିସ୍ ବ୍ୟୁରୋ ଭୁବନେଶ୍ୱର । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ପୋଲିସର ସୂଚନାନୁସାରେ, ବୌଦ୍ଧରୁ ପଶ୍ଚିମବଙ୍ଗ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ଏନସିବି ଓ ଭରତପୁର ଥାନାର ପୋଲିସ କର୍ମଚାରୀମାନେ କେତେକ ସ୍ଥାନରେ ତନଖିଫାଟକ ଲଗାଇଥିଲେ । ଗୋଟିଏ ଏସୟୁଭିରେ ଗଞ୍ଜେଇ ଥିଲା । ଅନ୍ୟ ଏକ କାର୍ ଏହାକୁ ସୁରକ୍ଷା ଦେଇ ଚାଲିଥିଲା ।
ମାଫିଆଙ୍କୁ ଧରିବା ଉଦ୍ୟମରେ ଏକ ପୋଲିସ ପାଟ୍ରୋଲିଂ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ସେଥିରେ ବସିଥିବା ଅଧିକାରୀମାନେ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।