ଅମରାବତି: ପ୍ରଶାସନ ହେବ ବୁଲେଟ୍ ଟ୍ରେନ୍ ପରି ଦ୍ରୁତ । ଆନ୍ଧ୍ରପ୍ରଦେଶରେ ଏବେ ଦେଖିବାକୁ ମିଳିଛି ପ୍ରାଶାସନିକ ତତ୍ପରତା। ସରକାରୀ କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବେ ‘ଫାଷ୍ଟ ଫାଇଲ୍ କ୍ଲିୟରାନ୍ସ’ ଉପରେ ଗୁରୁତ୍ୱ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନେବାକୁ ସେ ଅଧିକାରୀ ଓ ମନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଅମରାବତୀରେ ଆୟୋଜିତ ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଫାଇଲ୍ ଅଟକି ରହିବା ଅନୁଚିତ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ୨୪ ଘଣ୍ଟା ଭିତରେ କ୍ଲିୟର ହେବା ଦରକାର। ଏହି କାର୍ଯ୍ୟଦକ୍ଷତାକୁ ମାପିବା ପାଇଁ ଏକ ର୍ୟାଙ୍କିଙ୍ଗ୍ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି।
ଏହି ତାଲିକାରେ ଆଗରେ ଅଛନ୍ତି କୃଷି ମନ୍ତ୍ରୀ ଅଚେନ୍ନାୟୁଡୁ, ସେହିପରି ପି. ନାରାୟଣା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ଟିଜି ଭରତ । ଖାଲି ମନ୍ତ୍ରୀ ନୁହେଁ, ମୁଖ୍ୟ ଶାସନ ସଚିବ ସାଇ ପ୍ରସାଦଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅତ୍ୟଧିକ କାମର ଚାପ ସତ୍ତ୍ୱେ ସେ ହାରାହାରି ୧୦ ଘଣ୍ଟା ମଧ୍ୟରେ ଫାଇଲ୍ କ୍ଲିୟର କରୁଛନ୍ତି। ତେବେ ଏହି ତାଲିକାରେ କିଛି ମନ୍ତ୍ରୀଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି।
ସବୁଠାରୁ ପଛରେ ଅଛନ୍ତି ମନ୍ତ୍ରୀ ଏସ. ସବିତା, ସେ ଗୋଟିଏ ଫାଇଲ କ୍ଲିୟର କରିବାକୁ ହାରାହାରି ୧୩ ଦିନ ନେଉଛନ୍ତି । ତାଙ୍କ ଉପରକୁ ଅଛନ୍ତି ମନ୍ତ୍ରୀ ପୟ୍ୟାଭୁଲା କେଶବ, ସେ ଗୋଟିଏ ଫାଇଲ କ୍ଲିୟର କରିବାକୁ ହାରାହାରି ୯ ଦିନ ୧୪ ଘଣ୍ଟା ସମୟ ନେଉଛନ୍ତି ।
ଏହି ର୍ୟାଙ୍କିଙ୍ଗକୁ ନେଇ ବିରୋଧୀ ସମାଲୋଚନା କରିବା ପରେ, ମୁଖ୍ୟମନ୍ତ୍ରୀ ଏବେ ର୍ୟାଙ୍କିଙ୍ଗକୁ ସର୍ବସାଧାରଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି କେବଳ ଆଭ୍ୟନ୍ତରୀଣ ସମୀକ୍ଷା ମାଧ୍ୟମରେ ମନ୍ତ୍ରୀ ଓ ଅଧିକାରୀଙ୍କ କାର୍ଯ୍ୟଶୈଳୀରେ ସୁଧାର ଅଣାଯିବ ବୋଲି ସୂଚନା ମିଳିଛି।
ଚନ୍ଦ୍ରବାବୁ ନାଇଡୁଙ୍କ ଏହି କଡ଼ା ଆଭିମୁଖ୍ୟ ଏବେ ଆନ୍ଧ୍ର ପ୍ରାଶାସନିକ କଳରେ ହଲଚଲ ସୃଷ୍ଟି କରିଛି। ଆଶା କରାଯାଉଛି ଯେ, ଏହାଦ୍ୱାରା ସାଧାରଣ ଜନତାଙ୍କ କାମ ଆହୁରି ସହଜ ଏବଂ ଦ୍ରୁତ ହେବ।