Latest Odisha News

BREAKING NEWS

ବାଲଟ୍ ପେପରକୁ ନେଇ ବଢ଼ିଲା ରାଜନୈତିକ ପାରଦ: ଅରୁଣଙ୍କ ଅଭିଯୋଗକୁ ଅପରାଜିତାଙ୍କ ପାଲଟା ଜବାବ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ‘ସେକେଣ୍ଡ ବାଲଟ୍’କୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ଭେଟିବା ପରେ ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ପେନରୁ କାଳି ଲିକ୍ ହେବା ବାହାନାରେ ବିଜେପି ବିଧାୟକଙ୍କୁ ଦ୍ୱିତୀୟ ବାଲଟ୍ ଦିଆଯିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଓ ନ୍ୟୁଜ୍‌ରେ ରହିବାକୁ ଏହା ଏକ ମୂଲ୍ୟହୀନ ପ୍ରୟାସ”।

ବିଜେଡି ପ୍ରତିନିଧି ଦଳ ସହ ଆଲୋଚନା ସମୟରେ CEO ଏକ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁସାରେ, ଭୋଟ୍ ଦେବା ସମୟରେ ବ୍ୟବହୃତ ପେନରୁ କାଳି ଲିକ୍ ହେଉଥିଲା। ସେଥିପାଇଁ ବିଜେପି ବିଧାୟିକା ଉପାସନା ମହାପାତ୍ର ଏବଂ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ୱିତୀୟ ବାଲଟ୍ ପେପର୍ ଦିଆଯାଇଥିଲା। ତେବେ ବିଜେଡି ଏହାକୁ ଗ୍ରହଣ କରିବାକୁ ନାରାଜ। ଅରୁଣ ସାହୁ କହିଛନ୍ତି ଯେ, ବିଜେପି ବିଧାୟକମାନେ ପ୍ରଥମ ବାଲଟରେ ଭୁଲ ଭୋଟ୍ ଦେଇଥିଲେ, ସେଥିପାଇଁ ସେମାନଙ୍କୁ ନିୟମ ବିରୋଧୀ ଭାବେ ଦ୍ୱିତୀୟ ପେପର ଦିଆଯାଇଛି।

ବିଜେଡିର ଏହି ଅଭିଯୋଗ ଉପରେ CEO ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଏବେ ଏହି ମାମଲା ତାଙ୍କ ପରିସୀମା ବାହାରେ ରହିଛି। ଅର୍ଥାତ ଏହି ପ୍ରସଙ୍ଗରେ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କ ପାଖରେ କ୍ଷମତା ନାହିଁ।

CEOଙ୍କ ଉତ୍ତର ପରେ ବିଜେଡି ଏବେ ନିଜର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ। ଦଳ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି, ଯେଉଁଠାରେ ଏହି ମାମଲାକୁ ନେଇ କୋର୍ଟ ଯିବା କିମ୍ବା ଅନ୍ୟ କୌଣସି ଆଇନଗତ ପଦକ୍ଷେପ ନେବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ବର୍ତ୍ତମାନ ବିଜୁ ଜନତା ଦଳ ଏବଂ ଇଣ୍ଡି ଆଲାଏନ୍ସର ସହଯୋଗୀ ଦଳଗୁଡ଼ିକର ଯଥାର୍ଥତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତୀୟ ଜନତା ପାର୍ଟି ସେମାନଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ସାରିଲାଣି। ଏଭଳି ସ୍ଥିତିରେ ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ଏବଂ କେବଳ ‘ନ୍ୟୁଜ୍ ଆଇଟମ୍’ ହୋଇ ଚର୍ଚ୍ଚାରେ ରହିବା ପାଇଁ ବିଜେଡି ଏଭଳି ଭିତ୍ତିହୀନ ଅଭିଯୋଗ କରୁଛି।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପିର ଦୁଇ ବିଧାୟକ ଉପାସନା ମହାପାତ୍ର ଏବଂ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ବେଆଇନ ଭାବେ ଦ୍ୱିତୀୟ ବାଲଟ୍ ପେପର୍ ଦିଆଯାଇଥିବା ବିଜେଡି ଦାବି କରିଛି। CEOଙ୍କୁ ଭେଟିଥିବା ବିଜେଡି ନେତାଙ୍କ ବୈଠକରେ ଅରୁଣ ସାହୁଙ୍କ ସମେତ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ ଏବଂ ସାଂସଦ ସସ୍ମିତ ପାତ୍ର ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.