Latest Odisha News

BREAKING NEWS

Osama Bin Laden:ପୁଣି ଚର୍ଚ୍ଚାରେ ;ଲାଡେନ୍‌ର ରହସ୍ୟମୟ ଇଟା

ନୂଆଦିଲ୍ଲୀ:ଦୁନିଆର ସବୁଠାରୁ ବଡ଼ ଆତଙ୍କବାଦୀ ଓସାମା ବିନ୍ ଲାଡେନ୍‌ର ମୃତ୍ୟୁକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ସେହି ଗୁପ୍ତ ଅପରେସନକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପାକିସ୍ତାନର ଏବଟାବାଦ ସ୍ଥିତ ସେହି ରହସ୍ୟମୟ କମ୍ପାଉଣ୍ଡରୁ ଆମେରିକୀୟ କମାଣ୍ଡୋମାନେ ୧୩ଟି ଇଟା ସାଙ୍ଗରେ ନେଇ ଯାଇଥିଲେ। ନିକଟରେ ଆମେରିକୀୟ ଗୋଇନ୍ଦା ସଂସ୍ଥା CIA ଏହି ରହସ୍ୟମୟ ଇଟାର ଫଟୋ ସେୟାର କରିବା ପରେ ପୁଣି ଚର୍ଚ୍ଚା ଜୋର ଧରିଛି। କଣ ଥିଲା ସେହି ଇଟା ପଛର ରହସ୍ୟ ?

୨୦୧୧ ମସିହାରେ ହୋଇଥିବା ‘ଅପରେସନ ନେପଚ୍ୟୁନ୍ ଷ୍ପିଅର୍’ କେବଳ ଲାଡେନ୍‌କୁ ମାରିବା ପାଇଁ ନଥିଲା, ବରଂ ସେଠାରୁ ଅନେକ ଗୁପ୍ତ ପ୍ରମାଣ ମଧ୍ୟ ଜବତ କରାଯାଇଥିଲା। ସେହି ପ୍ରମାଣ ମଧ୍ୟରେ ସବୁଠାରୁ ରହସ୍ୟମୟ ଥିଲା ୧୩ଟି ଇଟା। ଆଶ୍ଚର୍ଯ୍ୟର କଥା, ସେହି ଇଟାଗୁଡ଼ିକ ଉପରେ ଇଂରାଜୀ ଅକ୍ଷର “A”, “M” ଏବଂ “S” ଲେଖାଯାଇଥିଲା। ଏହି ଅକ୍ଷରଗୁଡ଼ିକ କୌଣସି ଗୁପ୍ତ କୋଡ୍ କିମ୍ବା ସଙ୍କେତ କି ନାହିଁ, ସେ ନେଇ ଏବେ ବି ଯାଞ୍ଚ ଏଜେନ୍ସିଗୁଡ଼ିକ ଅନୁସନ୍ଧାନ କରୁଛନ୍ତି।

୧୧ ସେପ୍ଟେମ୍ବର ୨୦୦୧ ଆକ୍ରମଣ ପରେ ଆମେରିକା ପାଇଁ ଲାଡେନ୍ ସବୁଠାରୁ ବଡ଼ ଶତ୍ରୁ ପାଲଟିଥିଲା। ପ୍ରାୟ ୧୦ ବର୍ଷର ଅପେକ୍ଷା ପରେ CIA କୁ ସୂଚନା ମିଳିଥିଲା ଯେ ପାକିସ୍ତାନର ଏବଟାବାଦରେ ଏକ ସୁରକ୍ଷିତ କୋଠାରେ ଲୁଚିଛି ଲାଡେନ୍। ଉଚ୍ଚା କାନ୍ଥ, କଣ୍ଟା ତାରର ବାଡ଼ ଏବଂ ଇଣ୍ଟରନେଟ୍ ବା ଫୋନର ବ୍ୟବହାର ନଥିବା ଏହି କୋଠା ଉପରେ ଆମେରିକା କଡ଼ା ନଜର ରଖିଥିଲା। ଶେଷରେ ଷ୍ଟେଲଥ୍ ହେଲିକପ୍ଟର ଜରିଆରେ କମାଣ୍ଡୋମାନେ ସେଠାରେ ପହଞ୍ଚିଥିଲେ ଏବଂ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଦୁନିଆର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀକୁ ନିପାତ କରିଥିଲେ।

ଅପରେସନ ଶେଷ ହେବା ପରେ କମାଣ୍ଡୋମାନେ ପ୍ରଥମ ଇଟାକୁ ତତ୍କାଳୀନ CIA ନିର୍ଦ୍ଦେଶକ ଲିଅନ ପାନେଟାଙ୍କୁ ଉପହାର ସ୍ୱରୂପ ଦେଇଥିଲେ। ଆଜି ସେହି ଇଟା, ଲାଡେନ୍ ବ୍ୟବହାର କରୁଥିବା AK-47 ରାଇଫଲ୍ ଏବଂ ସେହି କମ୍ପାଉଣ୍ଡର ମଡେଲ୍ CIA ମ୍ୟୁଜିୟମରେ ସଂରକ୍ଷିତ ହୋଇ ରହିଛି। ଆମେରିକା ଗୋଇନ୍ଦା ଇତିହାସରେ ଏହାକୁ ସବୁଠାରୁ ବଡ଼ ସଫଳତା ବୋଲି ବିବେଚନା କରାଯାଏ।

ଏବଟାବାଦର ସେହି ରହସ୍ୟମୟ ଇଟା ଆଜି ବି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ CIA ର ଏହି ଫଟୋ ସେୟାର କରିବା ପରେ ପୁଣି ଥରେ ଇତିହାସର ସେହି ରୋମାଞ୍ଚକର ଅପରେସନ ସମସ୍ତଙ୍କ ମନରେ ସତେଜ ହୋଇଯାଇଛି।

Leave A Reply

Your email address will not be published.