ଭୁବନେଶ୍ବର: କଣାସରେ ଯୁବକଙ୍କୁ ହାଣି ବୁଲେଟ ଚଢେଇ ହତ୍ୟା ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥାନାରେ ଆତ୍ମସର୍ମପଣ କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛି ସୁଧାଂଶୁ ମହାପାତ୍ର। ଘଟଣାର ୧୦ ଦିନ ପରେ ଆତ୍ମସର୍ମପଣ କରିଛି ମୁଖ୍ୟ ଅଭିଯୁକ୍ତ। ଏହି ଘଟଣାରେ ପୋଲିସ ୪ ଟିମ୍ ଗଠନ କରି ସୁଧାଂଶୁକୁ ଖୋଜୁଥିଲା।
ସୂଚନାଯୋଗ୍ୟ ଯେ, ପିପିଲି କଣାସ ମୁଖ୍ୟରାସ୍ତାରେ କଣାସ ଦୋକନ୍ଦା ଗାଁ’ର ମୃତ୍ୟୁଞ୍ଜୟ ଭାରିମଲଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୃତ୍ୟୁଞ୍ଜୟଙ୍କୁ ଗୋଡ଼ାଇ ଗୋଡ଼ାଇ ମାଛକଟା ପନିକିରେ ହାଣି ପକାଇଥିଲେ। ଏଥିରେ ତାଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯାଇଥିଲା। ଏହାପରେ ଅଭିଯୁକ୍ତମାନେ ମୃତ୍ୟୁଞ୍ଜୟଙ୍କ ଉପରେ ଏକ ବୁଲେଟ ଗାଡ଼ି ମଧ୍ୟ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ।
ପ୍ରାୟ ଅଧାଘଣ୍ଟାରୁ ଅଧିକ ସମୟ ଧରି ଏଭଳି କ୍ଷତାକ୍ତ ଅବସ୍ଥାରେ ପଡ଼ିରହିଥିଲେ ମୃତ୍ୟୁଞ୍ଜୟ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ମେଡିକାଲକୁ ପଠାଇଥିଲା। ଏବେବି ମୃତ୍ୟୁଞ୍ଜୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ପୋଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ କରିଥିଲା। ଏଥସହ ଏହି ଘଟଣା ପାଇଁ କଣାସ ଥାନାରୁ ୩ ଜଣ ଏଏସଆଇଙ୍କ ସମେତ ଅନ୍ୟ ୫ଟି ଥାନାରୁ ୮ ଜଣ ଏଏସ୍ଆଇଙ୍କୁ ବଦଳି କରିଛନ୍ତି ଏସପି।