Latest Odisha News

BREAKING NEWS

ଦେଶ ପାଇଁ ସୁନା କିଣା କମାନ୍ତୁ: ମୋଦୀଙ୍କ ଅପିଲ୍ ପଛର କାରଣ କ’ଣ? ଜାଣନ୍ତୁ ଅତୀତରେ କେବେ ସରକାର କରିଥିଲେ ଏମିତି ଅନୁରୋଧ

ନୂଆଦିଲ୍ଲୀ: ମାତ୍ର ୨୪ ଘଣ୍ଟା ମଧ୍ୟରେ ଦେଶବାସୀଙ୍କୁ ଦ୍ୱିତୀୟ ଥର ପାଇଁ ଏକ ବଡ଼ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଜନତାଙ୍କୁ ସୁନା କିଣା କମାଇବାକୁ, ସାର (ଫର୍ଟିଲାଇଜର)ର ସୀମିତ ବ୍ୟବହାର କରିବାକୁ ଏବଂ ‘ଭୋକାଲ୍ ଫର୍ ଲୋକାଲ୍’କୁ ପ୍ରୋତ୍ସାହନ ଦେବାକୁ ଅପିଲ୍ କରିଛନ୍ତି। କିନ୍ତୁ ଭାରତ ସରକାର ଲୋକଙ୍କୁ ସୁନା ନକିଣିବାକୁ ବା କମ୍ କିଣିବାକୁ ଅପିଲ୍ କରିବା ଏହା ପ୍ରଥମ ଘଟଣା ନୁହେଁ। ଦେଶର ଆର୍ଥିକ ସ୍ଥିରତା ବଜାୟ ରଖିବା ଏବଂ ବିଦେଶୀ ମୁଦ୍ରା ଭଣ୍ଡାର (ଫରେକ୍ସ ରିଜର୍ଭ) କୁ ବଞ୍ଚାଇବା ପାଇଁ ଅତୀତରେ ବିଭିନ୍ନ ସରକାର ସମାନ ଧରଣର ପଦକ୍ଷେପ ନେଇଛନ୍ତି।

ରବିବାର ହାଇଦ୍ରାବାଦ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତିକୁ ମଜବୁତ କରିବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଦୈନନ୍ଦିନ ଅଭ୍ୟାସରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ସେ କହିଛନ୍ତି। ବିଶେଷ କରି ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଅନାବଶ୍ୟକ ସୁନା କିଣିବାରୁ ନିବୃତ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

କେବଳ ସୁନା ନୁହେଁ, ପେଟ୍ରୋଲ୍ ଏବଂ ଡିଜେଲ୍‌ ସଞ୍ଚୟ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ମୋଦୀ କହିଛନ୍ତି, ଇନ୍ଧନ ସଞ୍ଚୟ ହେଲେ ଦେଶର ଆର୍ଥିକ ସ୍ଥିତି ସୁଧୁରିବ। ଏଥିପାଇଁ ଲୋକେ ମେଟ୍ରୋ କିମ୍ବା ସାର୍ବଜନୀନ ପରିବହନର ଅଧିକ ବ୍ୟବହାର କରନ୍ତୁ। ଘରୋଇ ଗାଡ଼ି ବ୍ୟବହାର ବେଳେ ‘କାର୍-ପୁଲିଂ’ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି।

ମୋଦୀଙ୍କ ପୂର୍ବରୁ ୟୁପିଏ ସରକାର ଅମଳରେ ବି ଏମିତି ଏକ ସ୍ଥିତି ଆସିଥିଲା। ୨୦୧୩ ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଦେଶବାସୀଙ୍କୁ ସୁନା ନକିଣିବାକୁ ଅନୁରୋଧ କରିଥିଲେ। ସେତେବେଳେ ଅତ୍ୟଧିକ ସୁନା ଆମଦାନୀ ଯୋଗୁଁ ଦେଶର Current Account Deficit ବଢ଼ିଚାଲିଥିଲା ଏବଂ ଟଙ୍କାର ମୂଲ୍ୟ ଖସୁଥିଲା।

ଚିଦାମ୍ବରମ୍ ସେତେବେଳେ ବୁଝାଇଥିଲେ ଯେ, ଆମ ଦେଶରେ ସୁନା ଉତ୍ପାଦନ ହୁଏନାହିଁ। ଆମେ ସୁନା କିଣିବାକୁ ଟଙ୍କା ଦେଉଛୁ ସତ, କିନ୍ତୁ ବିଦେଶରୁ ଏହାକୁ ଆଣିବା ପାଇଁ ସରକାରଙ୍କୁ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଛି। ଯଦି ଦେଶବାସୀ ମାତ୍ର ୬ ମାସ ବା ବର୍ଷେ ପାଇଁ ସୁନା କିଣା ବନ୍ଦ କରିଦିଅନ୍ତି, ତେବେ ଅର୍ଥନୀତିରେ ଏକ ବଡ଼ ସକାରାତ୍ମକ ପରିବର୍ତ୍ତନ ଆସିବ। ସେତେବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ସୁନା ଉପରେ ଆମଦାନୀ ଶୁଳ୍କ ବାବଦକୁ ୧୦ ପ୍ରତିଶତ ବୃଦ୍ଧି କରିଥିଲେ।

ଇତିହାସ ପୃଷ୍ଠା ଓଲଟାଇଲେ ଜଣାପଡ଼େ, ୧୯୬୨ ଭାରତ-ଚୀନ୍ ଯୁଦ୍ଧ ପରେ ଦେଶର ଅର୍ଥନୀତି ତଳି ତଳାନ୍ତ ହୋଇଯାଇଥିଲା। ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାକୁ ବସିଥିଲା। ଏହାକୁ ରୋକିବାକୁ ଯାଇ ୧୯୬୩ରେ ତତ୍କାଳୀନ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇ ‘ଗୋଲ୍ଡ କଣ୍ଟ୍ରୋଲ୍ ରୁଲ୍ସ’ ଆଣିଥିଲେ। ଏହା ଅଧୀନରେ ୧୪ କ୍ୟାରେଟରୁ ଅଧିକ ଶୁଦ୍ଧତାର ସୁନା ଅଳଙ୍କାର ତିଆରି ଉପରେ ରୋକ୍ ଲଗାଯାଇଥିଲା। ପରେ ୧୯୬୮ରେ ନିୟମକୁ ଆହୁରି କଡ଼ା କରାଯାଇ ନାଗରିକଙ୍କ ପାଖରେ ସୁନା ବିସ୍କୁଟ ବା ମୁଦ୍ରା ରଖିବାକୁ ବେଆଇନ ଘୋଷଣା କରାଗଲା।

ସେହିପରି ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଦେଶର ଆର୍ଥିକ ଆବଶ୍ୟକତା ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଏକ ବଡ଼ ଆହ୍ୱାନ ଦେଇଥିଲେ। ସେ ନାଗରିକମାନଙ୍କୁ ନିଜର ସୁନା ସରକାରଙ୍କ ପାଖରେ ଜମା କରିବାକୁ କହିଥିଲେ। ଏଥିପାଇଁ ସରକାର ‘ନ୍ୟାସନାଲ୍ ଡିଫେନ୍ସ ଗୋଲ୍ଡ ବଣ୍ଡ’ ଭଳି ସ୍ୱତନ୍ତ୍ର ଯୋଜନା ଆରମ୍ଭ କରି ଲୋକଙ୍କୁ ଉତ୍ସାହିତ କରିଥିଲେ।

ମୋଟାମୋଟି ଭାବେ କହିଲେ, ଯେତେବେଳେ ବି ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ବା ଅର୍ଥବ୍ୟବସ୍ଥା ଉପରେ ଚାପ ପଡ଼େ, ସେତେବେଳେ ସୁନା କିଣା ଉପରେ ଲଗାମ ଲଗାଇବାକୁ ସରକାର ବାଧ୍ୟ ହୁଅନ୍ତି। ମୋଦୀଙ୍କ ବର୍ତ୍ତମାନର ଅପିଲ୍ ମଧ୍ୟ ସେହି ଆର୍ଥିକ ରଣନୀତିର ଏକ ଅଂଶବିଶେଷ।

Leave A Reply

Your email address will not be published.