Latest Odisha News

BREAKING NEWS

Bhawanipatna–Khariar Road: ଚାରି ଲେନ୍ ହେବ ଭବାନୀପାଟଣା-ଖରିଆର ରୋଡ୍;୯୧ କୋଟିର ବ୍ୟୟ ଅଟକଳ

ଭୁବନେଶ୍ବର:ଚାରି ଲେନ୍ ବିଶିଷ୍ଟ ହେବ ଭବାନୀପାଟଣା-ଖରିଆର ରୋଡ୍ । ନିର୍ମାଣ ହେବ ୫ଟି ମୁଖ୍ୟ ସେତୁ ସହ ୧୫ଟି ଛୋଟ ସେତୁ । ପ୍ରାୟ ୭୦ କିଲୋମିଟର ଦୀର୍ଘ ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୬୪୦ କୋଟି ଟଙ୍କା ବ୍ୟୟବରାଦ ରହିଛି। ସେତୁ ନିର୍ମାଣ ପାଇଁ ପ୍ରାୟ ୯୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ରାସ୍ତା ନିର୍ମାଣ ହେଲେ ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବ ଏବଂ କ୍ଷୁଦ୍ର ଚାଷୀ ,ବ୍ୟବସାୟୀ ଉପକୃତ ହେବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଏଥି ସହିତ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ମଧ୍ୟ ମରାମତି ଓ ନବୀକରଣ ହେବ ।

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ନୂତନ ଭବାନୀପାଟଣା-ଖରିଆର ରାସ୍ତା ଭବାନୀପାଟଣା ଏବଂ ଖରିଆର ଅଞ୍ଚଳର ଲୋକଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ । କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ମଧ୍ୟରେ ଯୋଗାଯୋଗ ତ୍ୱରିତ ଏବଂ ସୁଗମ ହେବା ସହ ସଂଯୁକ୍ତ ଗ୍ରାମଗୁଡ଼ିକର ଜନସାଧାରଣ ସହର ଏବଂ ବଜାରକୁ ମଧ୍ୟ ସହଜରେ ପହଞ୍ଚିପାରିବେ । ଉନ୍ନତ ରାସ୍ତା ଯୋଗୁଁ ଯାତ୍ରୀବାହୀ ବସ୍, ଆମ୍ବୁଲାନ୍ସ ଏବଂ ବ୍ୟକ୍ତିଗତ ଯାନଗୁଡ଼ିକ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ସହ ଇନ୍ଧନ ଏବଂ ସମୟ ଅପଚୟ ହ୍ରାସ ପାଇବ । କୃଷକ ଏବଂ ବ୍ୟବସାୟୀମାନେ ଧାନ, ପନିପରିବା, ଜଙ୍ଗଲଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବଜାରକୁ ସହଜରେ ପରିବହନ କରିପାରିବେ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବ ।

ଅଧିକ ପ୍ରଶସ୍ତ ରାସ୍ତା ଦୁର୍ଘଟଣା ହ୍ରାସ କରିବ । ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିବ । ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯୋଗାଯୋଗ ସୁଗମ ହେବ ।

Leave A Reply

Your email address will not be published.