Latest Odisha News

BREAKING NEWS

ଦିଲ୍ଲୀରେ ଦୁଇ ମହିଳାଙ୍କୁ ଅସଦାଚରଣ: ଚା’ ପିଉଥିବା ସମୟରେ ଡ୍ରେସ ଫାଢ଼ିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ସକାଳ ପ୍ରାୟ ୬:୩୦ ସମୟରେ ଦକ୍ଷିଣ-ପୂର୍ବ ଦିଲ୍ଲୀର ନେହେରୁ ପ୍ଲେସ୍ ଅଞ୍ଚଳରେ ଦୁଇ ମହିଳାଙ୍କୁ ଅତ୍ୟନ୍ତ ଅମାନବୀୟ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

 

ସୂଚନା ଅନୁଯାୟୀ, ଦୁଇ ମହିଳା (ଜଣେ ଆସାମର ଓ ଅନ୍ୟ ଜଣେ ବିହାରର) ଇରୋସ୍ ହୋଟେଲ ନିକଟସ୍ଥ ଏକ ଚା’ ଦୋକାନରେ ଛିଡ଼ା ହୋଇଥିଲେ। ସେହି ସମୟରେ ଦୁଇଜଣ ଯୁବକ ସେମାନଙ୍କୁ ଦେଖି ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଜାତିଆଣ କମେଣ୍ଟ ମାରିଥିଲେ। ମହିଳାମାନେ ଏହାର ପ୍ରତିବାଦ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।

 

ଧୀରେ ଧୀରେ ସେଠାରେ ଅନ୍ୟ କିଛି ଯୁବକ ମଧ୍ୟ ଏକାଠି ହୋଇ ମହିଳାଙ୍କୁ ଆକ୍ରମଣ କରିଥିଲେ।

 

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ସେମାନଙ୍କୁ ମାଡ଼ ମାରିବା ସହ ଜଣେ ମହିଳାଙ୍କ ଡ୍ରେସ ଫାଡ଼ି ଦେଇଥିଲେ। ପୀଡ଼ିତାଙ୍କ କହିବା କଥା ଯେ ସେମାନଙ୍କ ଉପରକୁ ଜାତିଆଣ ଟିପ୍ପଣୀ ମଧ୍ୟ କରାଯାଇଥିଲା। ଯେତେବେଳେ ସେମାନେ ସେଠାରୁ ଖସିଯିବାକୁ ଚେଷ୍ଟା କଲେ, ସେମାନଙ୍କୁ ବାଉଁଶ ବାଡ଼ିରେ ପିଟାଯାଇଥିଲା।

 

ଘଟଣା ସମ୍ପର୍କରେ ସକାଳ ପ୍ରାୟ ୭ଟାରେ କାଲକାଜୀ ପୋଲିସ ଷ୍ଟେସନକୁ ଫୋନ୍ ଯୋଗେ ସୂଚନା ମିଳିଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିଲେ। ପୋଲିସ ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଧାରା ୧୧୫ (ସ୍ୱେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା), ଧାରା ୭୪ (ମହିଳାଙ୍କ ମର୍ଯ୍ୟାଦା ହାନି କରିବା ଉଦ୍ଦେଶ୍ୟରେ ଆକ୍ରମଣ),

ଧାରା ୭୮ (ପିଛା କରିବା), ଧାରା ୧୨୬ (ଅନୁଚିତ ଭାବେ ଅଟକାଇବା)। ସିସିଟିଭି ଫୁଟେଜ୍ ଓ ସାକ୍ଷୀଙ୍କ ବୟାନ ଆଧାରରେ ପୋଲିସ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଅଭିଯୁକ୍ତ ମାନେ ହେଲେ ମହମ୍ମଦ ଫହାଦ (୨୮) ଯିଏ କି ପେସାରେ ଜଣେ କମ୍ପ୍ୟୁଟର ଅପରେଟର, ମହମ୍ମଦ ସାଭେଜ ଯିଏ କି ବାଉନ୍ସର, ମହମ୍ମଦ ଆରିଫ (୩୩) ଏବଂ ମହମ୍ମଦ ଫହିମ (୨୧) ଜଣେ କ୍ୟାବ ଡ୍ରାଇଭର।

 

ବର୍ତ୍ତମାନ ସୁଦ୍ଧା ତିନିଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ରାଜଧାନୀରେ ସକାଳ ସମୟରେ ଏଭଳି ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।

Leave A Reply

Your email address will not be published.